ସ୍ତନ କର୍କଟରେ ଆକ୍ରାନ୍ତ ହିନା, ଆରୋଗ୍ୟ କାମନା କଲେ ଫ୍ୟାନ୍ସ
ଟେଲିଭିଜନ ତାରକା ହିନା ଖାନ ସ୍ତନ କର୍କଟରେ ପୀଡ଼ିତ। ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ହିନା। ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା କହିଛନ୍ତି। ଏହି କଠିନ ସମୟରେ ଫ୍ୟାନଙ୍କ ପ୍ରାର୍ଥନା ଲୋଡ଼ିଛନ୍ତି । ଗତ ଶୁକ୍ରବାର ହିନା ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ସେୟାର କରିଥିଲେ। ଏହି ପୋଷ୍ଟ ସେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହାର ଚିକିତ୍ସା ଚାଲିଛି ବୋଲି ସମସ୍ତଙ୍କୁ ଜଣାଇଥିଲେ।
ହିନା କହିଛନ୍ତି, "ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦକୁ ମୁଁ ଗଭୀର ଭାବେ ପ୍ରଶଂସା କରେ। ଆପଣମାନଙ୍କ ବାର୍ତ୍ତା ମୋ ପାଇଁ ପ୍ରେରଣାର ଉତ୍ସ ହେବ। ଦିବ୍ୟଶକ୍ତିର କୃପା ସହ ମୁଁ ଏହି କଠିନ ସମୟରୁ ବାହାରି ପାରିବି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବି ବୋଲି ବିଶ୍ୱାସ କରୁଛି। ଦୟାକରି ପ୍ରାର୍ଥନା ଓ ଆଶୀର୍ବାଦ କରନ୍ତୁ।" ଏହି ଖବର ଶୁଣି ହିନାଙ୍କ ସମ୍ପର୍କୀୟ ଓ ଫ୍ୟାନ୍ସମାନେ ନିରାଶ ହୋଇଯାଇଛନ୍ତି। ଅଭିନେତ୍ରୀ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା ବି କରିଛନ୍ତି।
ହିନାଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ରୋହନ ମେହେରା, ଆମୀର ଅଲିଙ୍କ ସମେତ ଅନ୍ୟ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ହିନା ଖାନ। ସିରିଅଲ 'ୟେ ରିସ୍ତା କ୍ୟା କେହଲତା ହୈ'ରେ 'ଅକ୍ଷରା' ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ। ଟେଲିଭିଜନରେ ସଫଳତା ବ୍ୟତୀତ, ହିନା 'ବିଗ୍ ବସ୍' ଏବଂ 'ଖତରୋଁ କେ ଖିଲାଡି' ଭଳି ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଥିଲେ। ଏହା ପରେ ସେ 'ହ୍ୟାକ୍ଡ' ଏବଂ 'ଡ୍ୟାମେଜ୍ଡ 2' ଭଳି ପ୍ରୋଜେକ୍ଟ ସହ ଚଳଚ୍ଚିତ୍ର ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ଏଣ୍ଟ୍ରି କରିଥିଲେ।
Powered by Froala Editor