୪ ବର୍ଷର ପୁଅକୁ ବିଷ ଦେଇ ନିଜେ ବିଷ ପିଇଦେଲା ମା’

ମାତ୍ର ୪ ବର୍ଷର ପୁଅକୁ ବିଷ ପିଆଇବା ସହ ମା’ ନିଜେ ବିଷ ପିଇ ଦେଇଛି। ଉଭୟ ମେଡ଼ିକାଲ୍ ବେଡ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ତେବେ କ’ଣ ପାଇଁ ବିଷ ପିଇଲେ, ତାହା ଜଣାପଡ଼ି ନାହିଁ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର। ଉଭୟ ମାଆପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଉଦଳା ଥାନା ନାବରା କଲୋନୀରେ ବାସ କରନ୍ତି ଆଲୋକ ବାଘଡା। ସକାଳେ ଦିନ ମଜୁଆରୀଆ କାମ କରିବା ପାଇଁ ସେ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରି ପତ୍ନୀ ସବିତାଙ୍କୁ ଖାଇବା ପାଇଁ ଭାତ ମାଗିଥିଲେ। ସବିତା ତାଙ୍କ ସ୍ୱାମୀଙ୍କୁ ପଖାଳ ବାଢ଼ି ଖାଇବାକୁ ଦେଇଥିଲେ। ତାଙ୍କ ସାଙ୍ଗରେ ଖାଉଥିଲେ ତାଙ୍କ ୪ ବର୍ଷର ପୁଅ ରାଜେଶ। ହେଲେ ସେ ଖାଇବା ମଝିରେ ଉଠି ତାଙ୍କ ମାଆଙ୍କ ପାଖକୁ ପଳାଇ ଯାଇଥିଲା।
ସବିତା ରାଉତ ହଠାତ ଘର ଭିତରକୁ ପଶି ଯାଇଥିଲେ। ଭିତର ପଟୁ କବାଟ ବନ୍ଦ କରିବା ସହ ରାଜେଶକୁ ସାଙ୍ଗରେ ନେଇ ନିଜେ ବିଷ ପିଇବା ସହିତ ଶିଶୁପୁତ୍ରକୁ ବିଷ ପିଆଇଥିଲା। କିଛି ସମୟ ପରେ ସ୍ବାମୀ ଆଲୋକ ଘର ବାହାରେ ବସି ଖାଉଥିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା। ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥିବା ଜାଣିବାକୁ ପାଇଥିଲେ। ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥବା ଜାଣି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଉଭୟ ଏବେ ଜୀବନ ସହିତ ସଂଘର୍ଷରତ ରହିଛନ୍ତି।
Powered by Froala Editor