ପୁଣି ବନ୍ଦ ହେଲା ଅମରନାଥ ଯାତ୍ରା
କରୋନା ପାଇଁ ପୁଣି ସ୍ଥଗିତ ହୋଇଛି ଅମରନାଥ ଯାତ୍ରା । ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଦୃଷ୍ଟିରୁ ଅମରନାଥ ଯାତ୍ରା ବନ୍ଦ କରାଯାଇଥିଲା । ପୁଣି ମହାମାରୀକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଛି । ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟୁଇଟ୍ କରି ସୂଚନା ଦିଆଯାଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କରୋନା ସଙ୍କଟ ମଧ୍ୟରେ ଏହି ବର୍ଷର ତୀର୍ଥଯାତ୍ରା କରିବା ଅନୁଚିତ।
ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍ ଭଳି ମହାମାରୀ ସମୟରେ ଜୀବନ ବଞ୍ଚାଇବା ଜରୁରୀ। ଏଥିପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ। ହେଲେ ସେ କହିଛନ୍ତି ଯେ ସାଙ୍କେତିକ ପୂଜା ହେବ। ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଅନଲାଇନ୍ ଆଳତୀର ବନ୍ଦୋବସ୍ଥ କରାଯିବ।
ସୂଚନାଯୋଗ୍ୟ, ହିମାଳୟର ଶିଖରରେ ୩୮୮୦ ମିଟର୍ ଉଚ୍ଚତାରେ ଥିବା ଭଗବାନ ଶିବଙ୍କ ଗୁମ୍ଫା ମନ୍ଦିର ପାଇଁ ୫୬ ଦିନିଆ ଯାତ୍ରା ଜୁନ୍ ୨୮ ତାରିଖରୁ ପହଲଗାମ ଓ ବାଲଟାଲ ମାର୍ଗରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହୋଇଥାନ୍ତା। କିନ୍ତୁ ଏବେ ଏହି ଯାତ୍ରାକୁ ଚଳିତ ବର୍ଷ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅମରନାଥ ଯାତ୍ରା ପାଇଁ ଏପ୍ରିଲ୍ ୧ ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଥିଲା। ହେଲେ କରୋନା ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ଏପ୍ରିଲ୍ ୨୨ ତାରିଖରେ ଏହାକୁ ରୋକି ଦିଆଯାଇଥିଲା।
Powered by Froala Editor