ଅନଲାଇନରେ ଘର ଭଡ଼ା ବିଜ୍ଞାପନ ଦେଇ ସାଇବର ଠକେଇର ଶିକାର
ଭୁବନେଶ୍ୱର : ଘର କିଣାବିକା ତଥା ଭଡ଼ା ପାଇଁ ଉପଲବ୍ଧ ଅନଲାଇନ୍ ସାଇଟ୍ ୯୯ଏକର୍ସରେ ଘରଭଡ଼ାର ବିଜ୍ଞାପନ ଦେଇ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକ ନିଜକୁ ଯବାନ ବୋଲି ପରିଚୟ ଦେଇ ୨୦ହଜାର ଟଙ୍କା ଠକି ନେଇଛି । ଏ ନେଇ ସୌଭାଗ୍ୟନଗରର ସୁରେନ୍ଦ୍ର ଦାସ ଭୁବନେଶ୍ୱର ସାଇବର ସେଲରେ ଅଭିଯୋଗ କରିଛନ୍ତି । ସୁରେନ୍ଦ୍ରଙ୍କ ଅଭିଯୋଗ ମୁତାବକ, ସେ ରହୁଥିବା ସୌଭାଗ୍ୟନଗରର ତଳ ଘରକୁ ଭଡ଼ା ଲଗାଇବା ପାଇଁ କିଛି ସପ୍ତାହ ତଳେ ୯୯ ଏକର୍ସରେ ଏକ ବିଜ୍ଞାପନ ଦେଇଥିଲେ । ଏହି ସାଇଟରୁ ଦେଖି ତାଙ୍କୁ ଗତ ଦୁଇଦିନ ତଳେ ଜଣେ ଅଜଣା ଯୁବକ ତାଙ୍କୁ ଫୋନ୍ କରି ନିଜକୁ ସିଆଇଏସଏଫର ଯବାନ ପରିଚୟ ଦେଇ ଘରେ ରହିବାକୁ କହିଥିଲା । ଯେପରି ସୁରେନ୍ଦ୍ରଙ୍କୁ କୌଣସି ସନେ୍ଦହ ନ ହେବ, ସେଥିପାଇଁ ହ୍ୱାଟ୍ସଆପର ଘରର ସ୍ଥିତି ଓ ରୁମର ଫଟୋ ମଗେଇ ଦେଖିଥିଲା । ଏପରିକି ହ୍ୱାଟ୍ସଆପର ପ୍ରୋଫାଇଲରେ ଜଣେ ଯବାନଙ୍କ ଫଟୋ ରଖିବା ସହିତ ସେ ନିଜ ନାଁ ଅନୀଲ କୁମାର ବୋଲି ଜଣାଇଥିଲା । ସବୁ କିଛି ସ୍ଥିର ହେବା ପରେ ସାଇବର ଠକ ମାସକୁ ୧୦ହଜାର ଟଙ୍କା ହିସାବରେ ଦୁଇମାସର ୨୦ହଜାର ଟଙ୍କା ଅଗ୍ରୀମ ଭଡ଼ା ଅନଲାଇନରେ ଫୋନ୍ ପେ’ ଜରିଆରେ ଦେବ ବୋଲି କହିଥିଲା । ଏହା ପରେ ହ୍ୱାଟ୍ସଆପରେ ସୁରେନ୍ଦ୍ରଙ୍କ ପାଖକୁ ୧୯,୯୯୯ଟଙ୍କାର ଏକ କୁ୍ୟଆର୍ କୋଡ୍ ପଠାଇ ସ୍କାନ୍ କରିବାକୁ କହିଥିଲା । ସୁରେନ୍ଦ୍ର ଏହାକୁ ସ୍କାନ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ଉଲ୍ଲେଖ ଥିବା ୧୯,୯୯୯ଟଙ୍କା କଟିଯାଇଥିଲା ।
Powered by Froala Editor