ଫୁଲବାଣୀରେ ଏହା କହିଲେ ମୋଦୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଥିଲେ ।ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ସେମାନଙ୍କୁ ପ୍ରଣାମ କରିବା ସହ ସମାଜକୁ ସେମାନଙ୍କ ଦୃଷ୍ଟାନ୍ତ ଦେଇଥିଲେ । ପ୍ରଥମେ ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ । ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କିଛି ନାହିଁ, କେହି ନାହାଁନ୍ତି । ଭିକ୍ଷା ମାଗି ନିଜ ପେଟ ପୋଷନ୍ତି । କିନ୍ତୁ ଆଶ୍ଚର୍ୟ୍ୟ କଥା ହେଉଛି , ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିିଜ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ତାଙ୍କର କିଛି ଆବଶ୍ୟକତା ରହିଛି ବୋଲି ତୁଳା ବେହେରାଙ୍କୁ ପଚାରିଥିଲେ ମୋଦୀ ହେଲେ ଉତ୍ତରରେ ତୁଳା ବେହେରା କହିଥିଲେ, ତାଙ୍କର କିଛି ଲୋଡା ନାହିଁ ଲୋଡା କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ । ଏହାପରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିବା ଆଦିିବାସୀ ମହିଳା ପୁୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସା କରିଥିଲେ । କହିଥିଲେ, ‘ସେ ହେଉଛନ୍ତି ଆଦିବାସୀ ଭାଷାରେ ଭଜନ , ଜଣାଣ ରଚନା କରୁଥିବା କବୀର, ଯିଏ ଆଦିବାସୀ ଭାଷାରେ ସ୍ୱତଃସ୍ପୁର୍ତ୍ତ ଭାବେ ଭଜନ ଲେଖି ଈଶ୍ୱରଙ୍କୁ ସମର୍ପଣ କରନ୍ତି । ତାଙ୍କ ଭକ୍ତି ଅନନ୍ୟ । ଆଜି କନ୍ଧମାଳରେ ଏହି ଦୁଇ ମା’ଙ୍କ ଆଶୀର୍ବାଦ ମୋତେ ମିଳିଛି । ଦୁଇ ମା’ ଆଜି ମୋତେ ଏଭଳି ଆଶୀର୍ବାଦ ଦେଇଛନ୍ତି ଯାହା ସେ ଜୀବନ ସାରା ଭୁଲିପାରିବେ ନାହିଁ । ଏମିତି ଦୁଇ ମା’ଙ୍କ ଆଜି ମୋତେ ଆଶୀର୍ବାଦ କରିଛନ୍ତି , ଆଜି ମୋତେ ପୁରା କନ୍ଧମାଳର ଆଶୀର୍ବାଦ ତାଙ୍କୁ ମିଳିଛି, ପୁରା ଓଡିଶାର ଆଶୀର୍ବାଦ ମୋତେ ମିଳିଛ, ଯାହା ଓଡିଶାରେ ଏକ ବଡ ପରିବର୍ତ୍ତନର ଉଦାହରଣ’ ।
ଅଭିଭାଷଣ ସମୟରେ ସେ ବିଜେଡିକୁ ରତନଭଣ୍ଡାର ପ୍ରସଙ୍ଗ ନେଇ ଘେରିଛନ୍ତି। ପୂର୍ବରୁ ମୋଦି ନିର୍ବାଚନୀ ପ୍ରଚାର ପାଇଁ ଯେତିକି ଥର ଓଡ଼ିଶା ଆସିଛନ୍ତି ସେତେବେଳେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିନ୍ତୁ ଆଜି ଫୁଲବାଣୀରେ ବିଶାଳ ଜନସଭାକୁ ସମ୍ବୋଧନ କରି ବିଜେଡିକୁ ତୁହାକୁ ତୁହା ଆକ୍ରମଣ କରିଛନ୍ତି।
ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ। ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି। ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ବିଜେଡି ସରକାର। ଚାବି କୁଆଡ଼େ ଗଲା, ଆପଣଙ୍କର ଜାଣିବା ଅଧିକାର ଅଛି।
ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା। ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲୁ ନ ଥିଲା ତ, ରତ୍ନ ନେଉ ନ ଥିଲା ତ। ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ତ ବସିଲା, ହେଲେ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ ଭୀତତ୍ରସ୍ତ ଅଛନ୍ତି। ଭାଜପା ସରକାର ଆସିଲେ ରତ୍ନଭଣ୍ଡାର ମର୍ୟ୍ୟାଦା ପ୍ରତିଷ୍ଠା ହେବ।
ଫୁଲବାଣୀ ସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ ମୁଁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛି । ନବୀନ ବାବୁ ବିନା କାଗଜରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ନାମ କୁହନ୍ତୁ । ଜିଲ୍ଲା ଓ ଜିଲ୍ଲାର ମୁଖ୍ୟାଳୟ ନାମ କୁହନ୍ତୁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାମ ଜାଣିନାହାନ୍ତି, ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବିଜେପିକୁ ମାତ୍ର ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ୧ ନମ୍ବର କରିଦେବୁ ।
Powered by Froala Editor