ପରୀକ୍ଷାରେ ଜୟ ଶ୍ରୀରାମ, ବିରାଟ କୋହଲି ଲେଖି ପାସ୍
ଉତ୍ତରପ୍ରଦେଶ ୟୁନିଭର୍ସିଟ ପରୀକ୍ଷାରେ ଛାତ୍ରମାନେ ସଠିକ୍ ଉତ୍ତର ଲେଖି ନୁହେଁ, ବରଂ 'ଜୟ ଶ୍ରୀରାମ' ଏବଂ କ୍ରିକେଟରଙ୍କ ନାଁ ଲେଖି ମାର୍କ ପାଇଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ର ନେତା ଏହି ଅଭିଯୋଗ ଆଣିବା ପରେ ଦୁଇ ଜଣ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି ।
ୟୁନିଭରସିଟିର ଜଣେ ଛାତ୍ର ପରୀକ୍ଷା ଖାତାରେ ସଠିକ ଉତ୍ତର ନ ଲେଖି ‘ଜୟ ଶ୍ରୀରାମ’ ଏବଂ କ୍ରିକେଟରଙ୍କ ନାଁ ଲେଖି ମାର୍କ ପାଇଥିବା ଅଭିଯୋଗ ହୋଇଛି। ଛାତ୍ର ନେତା ଦିବ୍ୟାଂଶୁ ସିଂହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କୁଳପତିଙ୍କ ନିକଟକୁ ଚିଠି ଲେଖି ଏହି ଅଭିଯୋଗ କରିଥିଲେ। ଗୋଟିଏ ବି ମାର୍କ ପାଇବାକୁ ଯୋଗ୍ୟ ନଥିବା କିଛି ଛାତ୍ରଛାତ୍ରୀଙ୍କୁ ୬୦ ପ୍ରତିଶତରୁ ଅଧିକ ମାର୍କ ଦେଇ ପାସ୍ କରାଯାଇଥିବା ସେ ଉଲ୍ଲେଖ କରିଥିଲେ।
ସେ ଚିଠିରେ ଲେଖିଥିଲେ ଯେ, ପିଲାମାନେ ପରୀକ୍ଷା ଖାତାରେ ଗୀତ, ଧାର୍ମିକ ସ୍ଲୋଗାନ ଏବଂ କ୍ରିକେଟରଙ୍କ ନାଁ ଲେଖିଥିଲେ। ସେମାନଙ୍କଠାରୁ ଟଙ୍କା ନେଇ ପାସ୍ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ବିଶ୍ୱବିଦ୍ୟାଳୟ କୁଳପତି ପରୀକ୍ଷାତାର ପୁନଃମୂଲ୍ୟାଙ୍କନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତର ଖାତାର ଏକ ନକଲ ମିଳିଛି, ଯେଉଁଥିରେ 'ଜୟ ଶ୍ରୀରାମ' ଲେଖାଯିବା ସହ ବିରାଟ କୋହଲି, ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟରଙ୍କ ନାମ ଲେଖାଯାଇଥିଲା। ଯାଞ୍ଚ ହେବା ପରେ ଜାଉନପୁରର ଭୀର ବାହାଦୂର ସିଂହ ପୁର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି।
Powered by Froala Editor