ମାନବୀଙ୍କ ମୃତ୍ୟୁର କାରଣ ଅତ୍ୟଧିକ ସାକାରିନ୍
ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ୧୦ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପଛର କାରଣ କଣ ହୋଇପାରେ, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏ ପ୍ରଶ୍ନ ଉପରୁ ପରଦା ହଟିଛି। ଏହି ଘଟଣା ପରେ ନ୍ୟୁ ଇଣ୍ଡିଆ ବେକେରୀ ମାଲିକଙ୍କ ସମେତ ଚାରିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା । କୁହାଯାଉଛି ଯେ, କେକରେ ସାକାରିନର ମାତ୍ରା ଅଧିକ ଥିବାରୁ ୧୦ବର୍ଷୀୟ ବାଳିକାର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ, କେକରେ ସିନ୍ଥେଟିକ ସ୍ୱିଟନର୍ ଥିଲା, ଯାହା ମୃତ୍ୟୁର କାରଣ ହୋଇପାରେ। କେକରେ ସାକାରିନ ନାମକ ଏକ ସିନ୍ଥେଟିକ ଯୌଗିକ ମିଶ୍ରଣ କରାଯାଇଥିଲା। ଖାଦ୍ୟକୁ ମିଠା କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ଅଧିକ ବ୍ୟବହାର କରିବା ଫଳରେ ରକ୍ତର ଗ୍ଲୁକଜ ସ୍ତର ବୃଦ୍ଧି ହୋଇପାରେ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।
ଉଲ୍ଲେଖଯୋଗ୍ୟ, ପଟିଆଲାର ଅମନ ନଗର ଅଞ୍ଚଳରେ ରହୁଥିବା ୧୦ବର୍ଷର ବାଳିକା ମାନବୀଙ୍କ ଜନ୍ମଦିନ ମାର୍ଚ୍ଚ ୨୪ରେ ଥିଲା । ଏହି ଅବସରରେ ତାଙ୍କ ମାଆ କାଜଲ ଜୋମାଟୋରେ ଥିବା କାହ୍ନା ଫାର୍ମରୁ ଏକ କେକ ଅର୍ଡର କରିଥିଲେ। ରାତିରେ ପରିବାରର ସମସ୍ତେ ଜନ୍ମଦିନ ପାଳନ କରି ସେହି କେକ ଖାଇଥିଲେ। କେକ୍ ଖାଇବା ପରେ ମାନବୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଚିକିତ୍ସା ସମୟରେ ମାନବୀଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor