କିଛି ଲୋକ ରାଜନୀତି ପାଇଁ ମିଛ କହି ମିଛ ପ୍ରଚାରରେ ବିଶ୍ୱାସ କରନ୍ତି: ପାଣ୍ଡିଆନ

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଉଲ୍ଲେଖ ନ କରି ତାଙ୍କର ‘ଗରିବ ବିରୋଧୀ’ ଚେହେରା ଉପରୁ ମୁଖା ଖୋଲିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍କେୱାଇ ପରି ଜନକଲ୍ୟାଣକାରୀ କାର୍ୟ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି।
ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ ଲୋକଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଲୋକାଭିମୁଖୀ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ବିଏସ୍କେୱାଇ ଠାରୁ ଆରମ୍ଭ କରି ଛାତ୍ର ବୃତ୍ତି, ସବୁ ଯୋଜନା ରାଜ୍ୟବାସୀଙ୍କ ଦୁଃଖ ଦୂର କରିଛି। ଏଥିରୁ ବିଏସ୍କେୱାଇ ହେଉଛି ରାଜ୍ୟର ୧ ନମ୍ୱର ଯୋଜନା; କିନ୍ତୁ ଲୋକଙ୍କ ସୁଖ କେନ୍ଦ୍ରମନ୍ତ୍ରୀଙ୍କ ଦେଖିପାରୁ ନାହାନ୍ତି। ଲୋକଙ୍କ ସମସ୍ୟା ଦୂର ହେବାକୁ ସେ ଗ୍ରହଣ କରିପାରୁ ନାହାନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି। ସେଥିପାଇଁ କ୍ଷମତାକୁ ଆସିଲେ ସେ ସର୍ବ ପ୍ରଥମେ ବିଏସ୍କେୱାଇ ଯୋଜନାକୁ ବନ୍ଦ କରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଶ୍ରମିକ, ଚାଷୀ ଓ ଗରୀବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି। ବଡ ବଡ ହସପିଟାଲରେ ଚିକିତ୍ସା କରାଇବା ପାଇଁ ବିଏସ୍କେୱାଇଁ ସ୍ମାର୍ଟ କାର୍ଡ ମାଧ୍ୟମରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି। ଏହି ଯୋଜନାରେ ପ୍ରତି ମାସରେ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାସିକ ହାରାହାରି ଦେଢ଼ ଲକ୍ଷ ଲୋକ ଏହାଦ୍ୱାର ଉପକୃତ ହେଉଛନ୍ତି।ରାଜ୍ୟର ପାଖାପାଖି ୯୦ ପ୍ରତିଶତ ଲୋକ ଏହି ଯୋଜନାର ସୁଫଳ ପାଉଛନ୍ତି। ଏହି ଯୋଜନାକୁ ନେଇ ସମସ୍ତେ ଖୁସୀ ଅଛନ୍ତି; କିନ୍ତୁ ଲୋକଙ୍କ ଖୁସି ଦେଖିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ। ସେ କ୍ଷମତାକୁ ଆସିଲାମାତ୍ରେ ପ୍ରଥମେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।
ଏହି ଅବସରରେ ଶ୍ରୀ ପାଣ୍ଡିଆନ ମିଛ କହି ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ କଟୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ରାଜନୀତି ପାଇଁ ମିଛ କହି ମିଛ ପ୍ରଚାରରେ ବିଶ୍ୱାସ କରନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟଟନାୟକ ସବୁବେଳେ କାମରେ ବିଶ୍ୱାସ କରନ୍ତି। ଆଗାମୀ ଦିନରେ ଶ୍ରମିକଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯିବ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଏଥିପାଇଁ ଯଦି ପାଣ୍ଠିର ଅଭାବ ରହିଥିବ, ତାହେଲେ ରାଜ୍ୟ ବଜେଟରୁ ପାଣ୍ଠି ଯୋଗାଇଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍ ମଞ୍ଚରେ ଘୋଷଣା କରିଛନ୍ତି।
Powered by Froala Editor