ନୀନା ଗୁପ୍ତା କଲେ ଖୁଲାସା: ମୁଁ ମଧ୍ୟ ହୋଇଥିଲି କାଷ୍ଟିଂ କାଉଚ୍ର ଶିକାର

କାଷ୍ଟିଂ କାଉଚ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁବେଳେ ହଲଚଲ ଲାଗି ରହେ । ବଡ ବଡ କଳାକାର ଏଥିରେ ଶିକାର ହୋଇଛନ୍ତି ବହୁବାର କହିଛନ୍ତି । ତେବେ ଭେଟେରାନ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ବୋଲି ଖୁଲାସା କରିଛନ୍ତି ।
କିଛି ଦିନ ତଳେ ନୀନାଙ୍କ ଆତ୍ମଜୀବନୀ 'ସଚ୍ କହୁଁ ତୋ' ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକରେ ସେ ନିଜ ଜୀବନର ବହୁ ଘଟଣା ସଂପର୍କରେ ଉଲ୍ଲେଖ କରିଥିବା ବେଳେ କାଷ୍ଟିଂ କାଉଚ୍ ସଂପର୍କରେ ବି ଲେଖିଛନ୍ତି। ସେ ନିଜେ କାଷ୍ଟିଂ କାଉଚ୍ର ଶିକାର ହୋଇଥିବା ଏଥିରେ ଲେଖିଛନ୍ତି। ନୀନା ଲେଖିଛନ୍ତି ଯେ, ବହୁ ବର୍ଷ ପୂର୍ବେ ତାଙ୍କ ନିକଟକୁ ଜଣେ ସାଉଥ୍ ଫିଲ୍ମ ପ୍ରଡ୍ୟୁସରଙ୍କ ଫୋନ୍ ଆସିଥିଲା। ସେ ତାଙ୍କ ସହିତ ସାକ୍ଷାତ କରିବାକୁ ଚାଁହୁଥିଲେ। ସେ ହୋଟେଲରେ ପହଞ୍ଚିବା ପରେ ପ୍ରଡ୍ୟୁସର ଜଣଙ୍କ ତାଙ୍କୁ ନିଜ ରୁମ୍କୁ ଡାକିଥିଲେ। କିନ୍ତୁ ସେ କିଛି ଗଡ଼ବଡ଼ ଥିବା ଆଶଙ୍କା କରିଥିଲେ। ତଥାପି କାମ ଆଶାରେ ସେ ପ୍ରଡ୍ୟୁସରଙ୍କ ରୁମ୍କୁ ଯାଇଥିଲେ। ସେଠାରେ ନୀନା ନିଜ ରୋଲ୍ ବିଷୟରେ ପଚାରିବାରୁ ପ୍ରଡ୍ୟୁସର ତାଙ୍କୁ ହୀରୋଇନର ସାଙ୍ଗ ରୋଲ୍ ଅଫର କରିଥିଲେ। ମାତ୍ର ଏହା ପସନ୍ଦ ନଆସିବାରୁ ସେ ସେଠାରୁ ଚାଲି ଆସିଥିଲେ । ଏହା ପରେ ପ୍ରଡ୍ୟୁସର ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଏଠାରେ ରାତିରେ ରହିବ ନାହିଁ କି ବୋଲି ପଚାରିଥିଲେ। ଏହା ଶୁଣି ତାଙ୍କୁ ଝଟକା ଲାଗିଥିବା ବେଳେ ସେ ସେଠାରୁ ପଳାଇ ଆସିଥିବା ନୀନା ନିଜ ବହିରେ ଲେଖିଛନ୍ତି।
ସୂଚନା ଅନୁଯାୟୀ, ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍ ଏବେ ନିତିଦିନିଆ ଘଟଣା ହୋଇଯାଇଛି । ବହୁ ଅଭିନେତ୍ରୀ ଏହାର ଶିକାର ହୋଇଛନ୍ତି । ହେଲେ ପୂର୍ବରୁ ମଧ୍ୟ କାଷ୍ଟିଂ କାଉଚ୍ ଏତେମାତ୍ରାରେ ହେଉଥିଲା ବୋଲି କେହି ବିଶ୍ୱାସ କରୁନଥିଲେ । ନୀନାଙ୍କ ଭଳି ଅଭିନେତ୍ରୀ ମୁହଁ ଖୋଲିବା ପରେ କାଷ୍ଟିଂ କାଉଚ୍ର ସତ୍ୟତା ସାମନାକୁ ଆସୁଛି ।
Powered by Froala Editor