ସ୍ୱାମୀ, ପୁଅକୁ ଛାଡି ଚାଲିଯାଇଥିଲେ, ଖେଳପଡିଆ ତଳୁ ମିଳିଲା ମହିଳାଙ୍କ ମୃତଦେହ

ସ୍ୱାମୀ, ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିଲେ ମହିଳା । ହେଲେ ପ୍ରେମିକ ସବୁବେଳେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରିଆସୁଥିଲା । ଶେଷରେ ତାର ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି ।
ଏପରି ହତ୍ୟାକାଣ୍ଡ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୋଲିସ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସମ୍ବଲପୁର ଜିଲା ନାକଟିଦେଉଳ ଥାନା ବଡଖୋଲ ଗାଁର ଏହି ମହିଳାଜଣକ କିସିଣ୍ଡା ଥାନା ବଳମ ଗାଁର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ବାମୀ ଓ ପୁଅ ଥାଉ ଥାଉ ମହିଳାଜଣକ ଜଣକ କିସିଣ୍ଡା ଥାନା ବଲାସିଙ୍ଘା ଗାଁର ପ୍ରମୋଦଙ୍କ ପ୍ରେମରେ ପଡିଥିଲେ। ଉଭୟ ୨ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ପ୍ରେମ ସମ୍ପର୍କ ପ୍ରଘଟ ହୋଇଯିବା ସନ୍ଦେହ କରି ମହିଳାଜଣକ ସ୍ବାମୀ ଓ ପୁଅକୁ ଛାଡି ପ୍ରମୋଦଙ୍କ ପାଖକୁ ପଳାଇ ଆସିଥିଲେ।
ପ୍ରମୋଦଙ୍କ ସହ ମୀନା ଘର ଭଡା ନେଇ ବିଭିନ୍ନ ଅଞ୍ଚଳରେ ରହୁଥିଲେ। ହେଲେ ମୀନା ଆଉ କିଛି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ପ୍ରମୋଦ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଜଣେ ସମ୍ପର୍କିୟ ଗୁରୁଚରଣ ପ୍ରଧାନଙ୍କ ଘରେ ମୀନାଙ୍କୁ ଛାଡି କୋଇଡାକୁ ଟ୍ରକ୍ ଚଲାଇବା ପାଇଁ ଚାଲି ଯାଇଥିଲେ ପ୍ରମୋଦ।
ଗତ ୨୩ ତାରିଖରେ ପ୍ରମୋଦ ମଧ୍ୟପୁର ଗାଁକୁ ଆସିଥିଲେ। ସେହି ସମୟରେ ସେ ମୀନାଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ। ବିଳମ୍ବିତ ରାତିରେ ମୀନା ଶୋଇଥିଲେ। ସେହି ସମୟରେ ପ୍ରମୋଦ ଏକ ସାଲ୍ରେ ମୀନାର ବେକ ଚିପି ହତ୍ୟା କରି ଦେଇଥିଲେ । ମୃତଦେହକୁ ଗାଁଠାରୁ ୫୦ ମିଟର ଦୂରରେ ଥିବା ଏକ ଖେଳ ପଡ଼ିଆରେ ଗାତ ଖୋଳି ପୋତି ଦେଇଥିଲେ। ଏଥିରେ ସହଯୋଗ କରିଥିଲେ ପ୍ରମୋଦଙ୍କ ବାପା କେଶବ କିସାନ, ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ।
ଗତ ଶୁକ୍ରବାର ଅପରାହ୍ନରେ ମହିଳାଙ୍କ ଗଳିତ ଶବ ଠାବ ହୋଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ମାଟି ଖୋଳି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହତ୍ୟା ମାମଲାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor