ଆଟଲାଣ୍ଟିକ ମହାସାଗରରୁ ବାହାରିବ ୩୧୬ ବର୍ଷର ଜାହାଜ: ସ୍ପେନ ଯୁଦ୍ଧରେ ବୁଡ଼ିଯାଇଥିଲା, ଭିତରେ ଅଛି ୧.୬୬ ଲକ୍ଷ କୋଟିର ସମ୍ପତ୍ତି
ଅକାତ ଅକାତ ଗଭୀର ଜଳରାଶିରେ ବୁଡି ରହିଛି ସ୍ପେନର ଏକ ଜାହାଜ । ଏହି ଜାହାଜ ଆଟଲାଣ୍ଟିକ ମହାସାଗରରେ ୩୧୬ ବର୍ଷ ହେଲା ବୁଡି ରହିଛି । ଅନୁମାନ କରାଯାଉଛି ଯେ, ସେଥିରେ ପ୍ରାୟ ୧.୬୬ ଲକ୍ଷ କୋଟିର ସମ୍ପତ୍ତି ରହିଛି । ତେଣୁ ଜାହାଜର ଅବଶେଷକୁ ବାହାର କରିବା ପାଇର୍ କଲମ୍ବିଆ ସରକାର ଯୋଜନା କରୁଛନ୍ତି । ଏହି ଅଭିଯାନରେ କଲମ୍ବିଆ ସରକାର ୩୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ବର୍ଷ ମଧ୍ୟଭାଗରେ ଏହି ଅଭିଯାନ ଆରମ୍ଭ ହେବ।
ଏହି ଜାହାଜ ୨ ହଜାର ଫୁଟ ତଳେ ରହିଛି। ଏହାର ଅବଶେଷ ଉପରକୁ ଆଣିବା ପୂର୍ବରୁ ତଳେ ଅନୁସନ୍ଧାନ କରାଯିବ। ଏଥିପାଇଁ କଲମ୍ବିୟା ନୌସେନା ରୋବୋଟକୁ ସମୁଦ୍ରକୁ ପଠାଇବ। କେଉଁ ଭାଗରେ ରୋବୋଟକୁ ଅବତରଣ କରାଯିବ ତାହାକୁ ଏବେ ଗୋପନୀୟ ରଖାଯାଇଛି।
ଏହି ରୋବୋଟରେ କ୍ୟାମେରା ଲାଗିବ। ଏହାକୁ ଉପଗ୍ରହ ସହ ମଧ୍ୟ ସଂଯୋଗ କରାଯିବ। ରୋବୋଟ ଜାହାଜର ସୂଚନା ସଂଗ୍ରହ କରି କିଛି ନମୁନା ଧରି ଆସିବ। ପରେ ଅବଶେଷରେ ହୋଇଥିବା ପରିବର୍ତ୍ତନର ଅନୁଧ୍ୟାନ କରି ଜାହାଜର କେଉଁ ଭାଗକୁ ବାହାର କରାଯିବ ତାହାର ନିଷ୍ପତ୍ତି ନିଆଯିବ।
୨୦୧୫ରେ କଲମ୍ବିଆ ନୌସେନା ଏହି ଜାହାଜର ଅବଶେଷ ସନ୍ଧାନ କରିଥିଲା। ସେତେବେଳେ ଏହି ସନ୍ଧାନକୁ ମାନବ ଇତିହାସରେ ମିଳିଥିବା ସବୁଠୁ ମୂଲ୍ୟବାନ ସମ୍ପତ୍ତି ବୋଲି କୁହାଯାଇଥିଲା। ସୂଚନା ଅନୁଯାୟୀ ୧୭୦୮ରେ ଏହି ଜାହାଜ ରାଜା ଫିଲିପ ପଞ୍ଚମଙ୍କ ଦଳରେ ସାମିଲ ଥିଲା। ସ୍ପେନ ବିଜୟ ପାଇଁ ହୋଇଥିବା ଯୁଦ୍ଧରେ ବ୍ରିଟିଶ ନୌସେନାର ଆକ୍ରମଣରେ ଜାହାଜ ବୁଡ଼ି ଯାଇଥିଲା। ସେ ସମୟରେ ଜାହାଜରେ ୬୦୦ ଲୋକ ଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା।
Powered by Froala Editor