ମୃତ୍ୟୁ ପରେ ଶୁଭିଲା ଜୟଲଳିତାଙ୍କ ସ୍ୱର, କାନ୍ଦି ପକାଇଲେ ପ୍ରଶଂସକ
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜନ୍ମ ଦିନ ପାଳନ ହୋଇଛି । ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ଜନ୍ମଦିନ ପାଳନ କରାଯାଇଛି । ହେଲେ ଏବର୍ଷ କିଛି ନିଆରା ତରିକା ଆପଣେଇଛି ଏଆଇଏଡିଏମକେ । ଦଳ ପକ୍ଷରୁ ଏଆଇ ଜରିଆରେ ଜୟଲଳିତାଙ୍କ ସ୍ୱର ତିଆରି କରାଯାଇ ଅଡିଓ କ୍ଲିପ ଜାରି କରାଯାଇଛି।
ଜନ୍ମ ଦିନରେ ଜୟଲଳିତାଙ୍କୁ ଏଆଇଏଡିଏମକେର ସାଧାରଣ ସମ୍ପାଦକ ଇଡାପାଡ୍ଡି କେ ପଲାନିସ୍ୱାମୀ ବା ଇପିଏସ ଶ୍ରଦ୍ଧାଞ୍ଜଳୁ ଜଣାଇଥିଲେ। ଏହାପରେ ଦଳର ମୁଖ୍ୟାଳୟରେ ଜୟଲଳିତାଙ୍କ ଏଆଇ ସ୍ୱର ଜାରି କରାଯାଇଛି। ଜୟଲଳିତା ଦଳର ସଦସ୍ୟମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ “ମୁଁ ଆପଣମାନଙ୍କ ଜେ ଜୟଲଳିତା କହୁଛି। ଏହି ଟେକ୍ନୋଲୋଜିକୁ କୃତଜ୍ଞତା ଜଣାଉଛି। କାରଣ ଏହି ଟେକ୍ନୋଲୋଜି ମୋତେ ଆପଣମାନଙ୍କ ସହ କଥା ହେବାର ସୁଯୋଗ ଦେଇଛି।
ଆମ ଦଳ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛି। ଏବେ ଗୋଟିଏ ପଟେ ଆମ ପାଖରେ ଏମିତି ଗୋଟିଏ କେନ୍ଦ୍ର ସରକାର ରହିଛି, ଯିଏ ଆମ ସହ ଧୋକା କରିଛନ୍ତି। ଅନ୍ୟପଟେ ରାଜ୍ୟରେ ଥିବା ସରକାର ଦୁର୍ନୀତି ଗ୍ରସ୍ତ। ତେଣୁ ମୁଁ ମୋ ଜନ୍ମ ଦିନରେ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଏଆଇଏଡିଏମକେର ଲୋକ ସରକାର ଯେମିତି ଫେରିବ, ତାକୁ ନିଶ୍ଚିତ କରନ୍ତୁ। ମୋ ରାସ୍ତାରେ ଆମ କ୍ୟାଡରମାନେ ଚାଲନ୍ତୁ।”ତେବେ ମୃତ୍ୟୁ ପରେ ତାଙ୍କ ସ୍ୱର ଶୁଣି ପ୍ରଶଂସକଙ୍କ ଆଖି ଜକେଇ ଯାଇଛି । ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Powered by Froala Editor