ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ । ଶୁକ୍ରବାର ଭୋର୍ ୩ଟା ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ବୁଧବାର ଦିନ ଯୋଶୀଙ୍କୁ ହୃଦଘାତ ଆସିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ ଶେଷରେ ଆଜି ଭୋର୍ ସମୟରେ ତାଙ୍କର ପରଲୋକ ଘଟିଥିବା ଖବର ଆସିଛି ।
ସୂଚନା ମୁତାବକ, ଯୋଶୀଙ୍କ ରାଜନୈତିକ ଜୀବନ ଖୁବ୍ ଲମ୍ବା ରହିଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ୟ୍ୟକର୍ତ୍ତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ଶିବସେନାରେ ଯୋଗ ଦେଇଥିଲେ । ୧୯୯୫ ମସିହାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଯୋଶୀ । ଏହାପୂର୍ବରୁ ସେ ମୁମ୍ବାଇ ନଗର ନିଗମର ନଗରସେବକ, ବିଧାନ ପରିଷଦ ସଦସ୍ୟ, ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଭାବେ କାର୍ୟ୍ୟ କରିଥିଲେ । ହେଲେ ବିଗତ କିଛି ଦିନ ହେଲା ସେ ରାଜନୀତିରେ ସକ୍ରିୟ ନଥିଲେ ।୧୯୩୭ ଡିସେମ୍ବର ୨ ତାରିଖ ମହାରାଷ୍ଟ୍ର ରାୟଗଡ ଜିଲ୍ଲାର ନନ୍ଦବୀ ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଜନ୍ମ । ତାଙ୍କର ପୁରା ନାମ ଥିଲା ମନୋହର ଗଜାନନ ଯୋଶୀ । ଯୋଶୀ ପାଠ ପଢିବା ପାଇଁ ମୁମ୍ବାଇ ଆସିଥିଲେ । ମୁମ୍ବାଇରେ ନିଜର ଶିକ୍ଷା ପୁରା କରି ମୁମ୍ବାଇ ନଗର ନିଗମରେ ଏକ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ସେବେଠୁ ସେ ମୁମ୍ବାଇରେ ହିଁ ବସବାସ କରିଥିଲେ ।
Powered by Froala Editor