ଚିଲିବାଳସା ଗେଟ ନିକଟରୁ ୮୦ ଦାଦନ ଶ୍ରମିକ ଉଦ୍ଧାର

କୋରାପୁଟ : କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣବେଳେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିଲିବାଳସା ଗେଟ ନିକଟରୁ ୮୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି ଯବାନ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ କିଛି ନାବାଳକ ଓ ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ନାରାୟଣପାଟଣା ଅଞ୍ଚଳରୁ ଶ୍ରମିକମାନେ ଏକ ବସ୍ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଉଥିଲେ। ଓଡ଼ିଶା ସୀମା ଚିଲିବାଳସା ଗେଟରେ ନିକଟରେ ଯବାନମାନେ ବସ୍ଟିକୁ ଅଟକାଇଥିଲେ। ଯାଞ୍ଚ ପରେ ଶ୍ରମିକମାନେ ଦାଦନ ଖଟିବାକୁ ଯାଉଥିବା ଜଣାପଡ଼ିଥିଲା। ଏନେଇ ପୁଲିସକୁ ଖବର ଦେଇଥିଲେ ଯବାନ। ପୁଲିସ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ଏମାନଙ୍କୁ କିଏ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି।
Powered by Froala Editor