୨୮ରୁ ଖୋଲିବ ମହାକାଳେଶ୍ୱର ମନ୍ଦିର, ଏସବୁ କଟକଣା ଲାଗୁ ହେବ...
ମଧ୍ୟପ୍ରଦେଶର ଉଜ୍ଜେନରେ ଥିବା ମହାକାଳେଶ୍ୱର ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆସନ୍ତା ୨୮ ତାରିଖରୁ ଖୋଲିବ । ଭକ୍ତମାନଙ୍କ ପାଇଁ ମନ୍ଦିର ଭିତରେ ଆଣ୍ଟିଜେନ୍ ସୁବିଧା ଉପଲବ୍ଧ ହେବ । ଯେଉଁମାନେ ମନ୍ଦିର ଭିତରକୁ ପ୍ରଦେଶ କରିବାକୁ ଚାହିଁବେ ସେମାନଙ୍କ ପାଇଁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ସେହିପରି ଯେଉଁ ଭକ୍ତମାନେ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର୍ ପରୀକ୍ଷା କରିଥିବେ ଏବଂ ରିପୋର୍ଟ ନେଗେଟିଭ୍ ଥିବ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ । ଏସବୁ ସହ କରୋନା ଟିକାର ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ ।
ଏହାସହ ହରିସିଦ୍ଧି ମନ୍ଦିର, କାଳ ଭୈରବ ମନ୍ଦିର ଓ ମଙ୍ଗଳନାଥ ମନ୍ଦିର ମାସ ଶେଷ ଆଡ଼କୁ ଖୋଲାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେଠାରେ ମଧ୍ୟ ସମାନ କଟକଣା ଲାଗୁ ହେବ । ମନ୍ଦିର ଭିତରକୁ ପ୍ରବେଶ କରିବା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ଜିଲ୍ଲାର ଅନ୍ୟ ମନ୍ଦିରଗୁଡ଼ିକ ଶୁକ୍ରବାରଠାରୁ ଖୋଲିବାକୁ ଅନୁମତି ଦିଆଯାଇଛି । ମାତ୍ର ଭିତରକୁ ଥରକେ ମାତ୍ର ୪ ଜଣ ପ୍ରବେଶ କରିପାରିବେ ।
ଉଜ୍ଜେନ ବୃହସ୍ପତି ଭବନରେ ବିପର୍ଯ୍ୟୟ ପରିଚାଳନା ବୈଠକ ବସିଥିଲା । ଏଥିରେ ସହରକୁ ସମ୍ପୂର୍ଣ୍ଣ ଅନଲକ କରିବାକୁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସକାଳ ୬ଟା ରୁ ସନ୍ଧ୍ୟା ୭ଟା ଯାଏଁ ବଜାର ଖୋଲା ରହିବ । ଜିଲ୍ଲା ଅଧିକାରୀ ଆଶିଷ ସିଂହ କହିଛନ୍ତି ଯେ ମହାକାଳେଶ୍ୱର ମନ୍ଦିରକୁ କେବଳ ଉଜ୍ଜେନର ନୁହେଁ ବରଂ ଦେଶ-ବିଦେଶରୁ ଅନେକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିବେ । ତେବେ ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ସମିତି ବୈଠକ ବସିବ ଓ ଗାଇଡଲାଇନ ଧାର୍ଯ୍ୟ କରାଯିବ ।
Powered by Froala Editor