ଲାଇଭ ଜରିଆରେ ରାମଲାଲାଙ୍କର ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ନିର୍ଦ୍ଧାରିତ ସମୟରେ ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଭଗବାନ ରାମଲାଲା ନିଜର ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ଏହି ଅବସରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଟେଲିକାଷ୍ଟ ହେଉଥିଲା । ଦେଶର କୋଣଅନୁକୋଣର ପ୍ରତ୍ୟେକ ବ୍ୟକ୍ତି ଲାଇଭ ମାଧ୍ୟମରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ଦିବ୍ୟ ଅନୁଭବ ପାଇଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲାଇଭ ଜରିଆରେ ରାମଲାଲାଙ୍କର ଦର୍ଶନ କରିଛନ୍ତି ।
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଛନ୍ତି। ସେହି ସମୟରେ ତାଙ୍କ ସହ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଉଭୟ ହସ୍ତ ଯୋଡ଼ି ରାମଙ୍କ ପ୍ରତି ପ୍ରଣିପାତ ଜଣାଉଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
Powered by Froala Editor