ହମାସର କବଳରୁ ଖସି ଆସି ନିଜ ଦେଶ ସେନାର ଗୁଳିମାଡରେ ପ୍ରାଣ ହରାଇଲେ ଇସ୍ରାଏଲ ପଣବନ୍ଦୀ
ନୂଆଦିଲ୍ଲୀ: ଶତ୍ରୁ ଭାବି ନିଜ ଦେଶର ନାଗରିକଙ୍କୁ ହତ୍ୟା କରିଛି ଇସ୍ରାଏଲ ସେନା । ହମାସର କବଳରୁ ଖସି ଆସି ନିଜ ଦେଶର ସେନାର ଗୁଳିମାଡରେ ପ୍ରାଣ ହରାଇଛନ୍ତି ୩ ଇସ୍ରାଏଲ ପଣବନ୍ଦୀ । ଯେଉଁମାନଙ୍କୁ ହମାସ ପଣବନ୍ଦୀ କରି ରଖିଥିଲା । ଶୁକ୍ରବାର ଦିନ ଏହି ଅଘଟଣ ଘଟିଛି ।ଏନେଇ ଇସ୍ରାଏଲ ସେନାର ମୁଖ୍ୟ ମୁଖପାତ୍ର ଡାନିଏଲ ହଗାରି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି," ଗାଜା ଷ୍ଟ୍ରିପର ସିଜେୟା ଅଞ୍ଚଳରେ ଗ୍ରାଉଣ୍ଡ ଅପରେସନ ଚାଲିଥିବା ବେଳେ ଭୁଲବଶତଃ ୩ ଜଣ ଇସ୍ରାଏଲ ପଣବନ୍ଦୀଙ୍କ ଉପରେ ଇସ୍ରାଏଲ ସେନା ଗୁଳି ଚଳାଇଥିଲେ । ଯୁଦ୍ଧ ଭୂମିରେ ସେମାନଙ୍କୁ ଶତ୍ରୁ ବୋଲି ଭାବି ଆକ୍ରମଣ କରାଯାଇଥିଲା । ସେହି ଅଞ୍ଚଳରେ ସେନା ଆତ୍ମଘାତୀ ବିସ୍ଫୋରଣ ସହିତ ଅନେକ ଆତଙ୍କବାଦୀଙ୍କୁ ସାମ୍ନା କରିଥିଲା । ତେଣୁ ନିଜ ଦେଶର ନାଗରିକଙ୍କୁ ଶତ୍ରୁ ଭାବି ସେମାନଙ୍କ ଉପରକୁ ସେନା ପକ୍ଷରୁ ଗୁଳିମାଡ କରାଯାଇଥିଲା । ତେବେ ମୃତଦେହକୁ ଦେଖିବା ପରେ ସନ୍ଦେହ ଜାତ ହୋଇଥିଲା । ତତକ୍ଷଣାତ ମୃତଦେହ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ସେମାନେ ଇସ୍ରାଏଲ ନାଗରିକ ହୋଇଥିବା ଜଣାପଡିଥିଲା । ଅକ୍ଟୋବର ୭ରେ ସେମାନଙ୍କୁ ହମାସ ଅପହରଣ କରିନେଇଥିଲା ।"
ସେ ଆଉ ମଧ୍ୟ କହିଛନ୍ତି, "ତେବେ ସେମାନଙ୍କୁ ହମାସ ଜାଣିଶୁଣି ଛାଡିଥିଲା ନା ସେମାନେ ହମାସ ସେନାଙ୍କ କବଳରୁ ଖସିଆସିଥିଲେ ତାହା ଜଣାପଡିନାହିଁ । ଏନେଇ ସେନାପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ତଦନ୍ତ ଜାରି ରହିଛି । ଏହି ଘଟଣା ପାଇଁ ନିଜକୁ ଦାୟୀ କରୁଛି ଆଇଡିଏଫ ।"
ତେବେ ମୃତକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମୃତଦେହକୁ ଇସ୍ରାଏଲକୁ ପଠାଯାଇଛି । ମୃତକମାନେ ହେଲେ ୟୋତମ ହମ ଓ ସମର ତଲାଲ୍କା । ତେବେ ଅନ୍ୟଜଣଙ୍କ ନାଁ ସେମାନଙ୍କ ପରିବାରର ଅନୁରୋଧ ଯୋଗୁ ସାର୍ବଜନୀନ କରାଯାଇନାହିଁ ।
Powered by Froala Editor