ଡମ୍ଫର ସହ କାର ଧକ୍କା: ଜୀବନ୍ତ ଜଳିଗଲେ ଶିଶୁ ସମେତ ୮ଜଣ
ଉତ୍ତରପ୍ରଦେଶ ବରେଲି-ନୈନିତାଲ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା। ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣାରେ ଜଣେ ଶିଶୁ ସମେତ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ବିଳମ୍ବିତ ରାତିରେ କାର୍ଟି ବାରେଲି-ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ସମୟରେ ହଠାତ୍ ଚକା ଫାଟି ଯାଇଥିଲା। ପରେ କାରଟି ଡିଭାଇଡର ଭାଙ୍ଗି ଅନ୍ୟ ପାର୍ଶ୍ୱରେ ଆସୁଥିବା ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କାର୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବା ପରେ କାର୍ରେ ବସିଥିବା ଲୋକମାନେ ଚିତ୍କାର କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ କାରର କବାଟ ଖୋଲି ନଥିଲା।
ସେମାନଙ୍କ ଚିତ୍କାର ଶୁଣି ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କର ନିଦ ଭାଙ୍ଗି ଯାଇଥିଲା। ସେମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ କାର୍ରେ ଥିବା ଜଣେ ଶିଶୁ ସମେତ ୮ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।
ଖବର ପାଇ ବରେଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Powered by Froala Editor