ପ୍ରାଥମିକ ଶିକ୍ଷାକୁ ଡିଜିଟାଲ କରିବାକୁ ସରକାରଙ୍କ ପଦକ୍ଷେପ, ଶିକ୍ଷକଙ୍କୁ ଦିଆଯିବ ୮ ଇଞ୍ଚିଆ ଟାବ୍ଲେଟ୍ କମ୍ପ୍ୟୁଟର

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଅନ୍ଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକଙ୍କୁ ଟାବ୍ ଦେବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଏହି ଟାବ୍ ସହାୟକ ହେବ। ସମଗ୍ର ଶିକ୍ଷା ଅଧୀନରେ ଟିଚର୍ସ ରିସୋର୍ସ ପ୍ୟାକେଜ୍ର କାର୍ଯ୍ୟକାରୀ ପାଇଁ ବିଦ୍ୟାଳୟସ୍ତରରେ ୮ ଇଞ୍ଚ ବିଶିଷ୍ଟ ଟାବ୍ଲେଟ୍ କମ୍ପ୍ୟୁଟର ଦିଆଯିବ। ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ବିଦ୍ୟାଳୟସ୍ତରରେ ଟାବ୍ ବଣ୍ଟନ ପାଇଁ ୪ ସୂତ୍ରୀ ନିର୍ଦେଶାବଳୀ ଜାରି ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରାପ୍ତ ହେବାକୁ ଥିବା ଟାବ୍ ବିଦ୍ୟାଳୟର ସମ୍ପତ୍ତି। ଓସେପା ପକ୍ଷରୁ ପ୍ରଦତ୍ତ ତାଲିକା ଅନୁସାରେ ଶିକ୍ଷକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଟାବ୍ ବଣ୍ଟନ କରିବେ। ଯଦି ତାଲିକାରେ ଥିବା କୌଣସି ଶିକ୍ଷକ ଉକ୍ତ ବିଦ୍ୟାଳୟରେ ନ ଥାନ୍ତି ତାହାହେଲେ ସମ୍ପୃକ୍ତ ବିଦ୍ୟାଳୟରେ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଅନ୍ୟ ଶିକ୍ଷକଙ୍କୁ ଏହା ଦିଆଯିବ ବୋଲି ଜଣାପଡ଼ିଛି।
Powered by Froala Editor