୨୭ ଟଙ୍କା ୫୦ ପଇସାରେ ମିଳିବ ‘ଭାରତ ଅଟା’

ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବେ । ଏହାର ନାଁ ରଖାଯାଇଛି ଭାରତ ଅଟା । କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି।
ସାରା ଦେଶରେ ପ୍ରାୟ ୨୦୦୦ ଆଉଟ୍ଲେଟ୍ରେ ମିଳିବ ଭାରତ ଅଟା। ସେହିପରି ୮୦୦ଟି ମୋବାଇଲ୍ ଭ୍ୟାନ୍ ଯୋଗେ ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯିବ ଭାରତ ଅଟା। ଏହାକୁ ନାଫେଡ, ଏନ୍ସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି।
ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଏବେ ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି।
ଭାରତ ଅଟା ବ୍ୟତୀତ ଏହି ଆଉଟ୍ଲେଟ୍ ଓ ମୋବାଇଲ ଭ୍ୟାନ୍ଗୁଡ଼ିକ ରିହାତି ମୂଲ୍ୟରେ ଚଣା ଡାଲି ଓ ପିଆଜ ମଧ୍ୟ ବିକ୍ରି କରିବେ। ଏବେ ପିଆଜି ଦର ଉଚ୍ଚା ରହିଥିବା ବେଳେ କେନ୍ଦ୍ର ସରକାର କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି।
Powered by Froala Editor