୨ରେ ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଭେମ୍ବର ୨ ତାରିଖରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀ। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିବା ପରେ ଅତିଶୀ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି।
ସିବିଆଇ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା । ଇଡି ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ତେବେ ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରାଯିବାର ଆଶଙ୍କା ପ୍ରକାଶ ପାଇଛି।
ଅତିଶୀ କହିଛନ୍ତି ଯେ ଗତ ଦେଢ଼ ବର୍ଷ ଧରି ଇଡି ଏବଂ ସିବିଆଇ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଦୁର୍ନୀତିର କୌଣସି ପ୍ରମାଣ ପାଇପାରିନାହାନ୍ତି । ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ, ତା’ହେଲେ ତାହା ଦୁର୍ନୀତି ଯୋଗୁ ନୁହେଁ, ବରଂ ବିଜେପି ବିରୋଧରେ କହିଥିବା ଯୋଗୁ।
ଅତିଶୀ ଦାବି କରିଛନ୍ତି ଯେ ଏସବୁ ପଛରେ ବିଜେପିର ହାତ ରହିଛି। ଆପ୍କୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛି ବିଜେପି। ସେଥିପାଇଁ ଦଳର ସମସ୍ତ ପ୍ରମୁଖ ନେତାଙ୍କୁ ବିଜେପି ଜେଲ୍ ପଠାଇବାକୁ ଉଦ୍ୟମ କରୁଛି। ଯେହେତୁ ନିର୍ବାଚନରେ ବିଜେପି କେଜ୍ରିୱାଲଙ୍କୁ ପରାସ୍ତ କରି ପାରିଲା ନାହିଁ, ସେଥିପାଇଁ ଏବେ ଏଭଳି କୌଶଳ ଆପଣାଉଛି।
Powered by Froala Editor