ନୂଆ ପରମାଣୁ ବୋମା ତିଆରି କରୁଛି ଆମେରିକା, ହେବ ଅଧିକ ଶକ୍ତିଶାଳୀ
ଓ୍ବାଶିଂଟନ: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ ପେଣ୍ଟାଗନ ନୂତନ ବୋମାକୁ ଅନୁମୋଦନ ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ନୂତନ ବୋମା ବି୬୧ ପରମାଣୁ ମାଧ୍ୟାକର୍ଷଣ ବୋମାର ଆଧୁନିକୀକରଣ ସଂସ୍କରଣ ହେବ, ଯାହାର ନାମ ବି୬୧-୧୩ ଦିଆଯାଇଛି।
ସ୍ପେସ ଡିଫେନ୍ସ ପଲିସି ପାଇଁ ଆମେରିକାର ଡେପୁଟି ସେକ୍ରେଟେରୀ ଜନ ପ୍ଲମ ଏକ ବିବୃତ୍ତିରେ କହିଛନ୍ତି ଯେ ସୁରକ୍ଷା ପରିବେଶର ପରିବର୍ତ୍ତନ ଏବଂ ଶତ୍ରୁମାନଙ୍କର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଏବେ ଏହା ଘୋଷଣା କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ତଥା ସମ୍ଭାବ୍ୟ ବିପଦକୁ ରୋକିବା ଏବଂ ଆବଶ୍ୟକ ସ୍ଥଳେ ପ୍ରତିଶୋଧ ନେଇ ଆମର ସହଯୋଗୀଙ୍କୁ ଆଶ୍ୱାସନା ଦେବା ଆମେରିକାର ଦାୟିତ୍ୱ।
ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ନୂତନ ପରମାଣୁ ବୋମାର ଓଜନ ୩୬୦ କିଲୋଟନ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୨୪ ଗୁଣ ବଡ ହେବ। ହିରୋସିମାରେ ପକାଯାଇଥିବା ବୋମାର ଓଜନ ୧୫ କିଲୋ ଟନ ଥିଲା। ଜାପାନର ନାଗାସାକିରେ ପକାଯାଇଥିବା ବୋମାଠାରୁ ନୂଆ ବୋମା ୧୪ ଗୁଣ ବଡ ହେବ। ନାଗାସାକିରେ ପକାଯାଇଥିବା ବୋମା ୨୫କିଲୋଟନ ଥିଲା । ଏହା ବ୍ୟତୀତ ନୂତନ ବୋମାରେ ଉନ୍ନତ ଆଧୁନିକ ନିରାପତ୍ତା ଏବଂ ସଠିକତା ମଧ୍ୟ ରହିବ।
Powered by Froala Editor