ରେଳ ଦୁର୍ଘଟଣାସ୍ଥଳକୁ ରାଜସ୍ୱ ମନ୍ତ୍ରୀଙ୍କୁ ଯିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ରେଳ ଦୁର୍ଘଟଣାସ୍ଥଳକୁ ରାଜସ୍ୱ ମନ୍ତ୍ରୀଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ସହ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଘଟଣାସ୍ଥଳ ସହ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ।
ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ପୁନରାବୃତ୍ତି । ଆଲମଣ୍ଡା-କଣ୍ଟକାପାଲ୍ଲିରେ ବିଶାଖାପାଟନାମ୍-ରାୟଗଡ଼ା ପାସେଞ୍ଜର ଟ୍ରେନକୁ ଧକ୍କା ଦେଇଛି ବିଶାଖାପାଟନମ୍-ପଲାସା ପାସେଞ୍ଜର । ଏହି ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ସେପଟେ ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ୟ୍ୟ ପରେ ଟ୍ରାକ୍ ମରାମତି କାମ ଜୋରଦାର ଲାଗିଛି । ସୋମବାର ଅପରାହ୍ଣ ୪ଟା ସୁଦ୍ଧା ସମସ୍ତ ମରାମତି କାର୍ୟ୍ୟ ଶେଷ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଟ୍ରାକ୍ ମରାମତି ଚାଲୁଥିବାରୁ ୩୩ଟି ଟ୍ରେନକୁ ବାତିଲ୍ କରାଯାଉଛି । ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ୧୧ଟି ଟ୍ରେନ୍ ଆଂଶିକ ବାତିଲ କରାଯାଇଥିବା ବେଳେ ୬ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଥଛି । ଦୁର୍ଘଟଣାରେ ଫସିଥିବା ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ୍ କିମ୍ବା ବସ୍ ବ୍ୟବସ୍ଥା କରାଯାଉଛି ପୂର୍ବଟତ ରେଳ ପକ୍ଷରୁ କୁହାଯାଉଛି ।
Powered by Froala Editor