୮ ଭାରତୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ
କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।
ଭାରତ ସରକାର କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଆମେ ଅତ୍ୟନ୍ତ ଚକିତ ହୋଇଛୁ। ଏହି ପ୍ରସଙ୍ଗରେ ଭାରତ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛି ବୋଲି ବିବୃତ୍ତିରେ କୁହାଯାଇଛି। ତେବେ ଭାରତ କିମ୍ବା କାତାର ସରକାର ଆନୁଷ୍ଠାନିକ ଭାବେ ଜଣାଇ ନାହାଁନ୍ତି ଯେ ଏହି ଆଠ ଜଣଙ୍କ ବିରୋଧରେ କେଉଁ ଅଭିଯୋଗ ରହିଛି।
ନୌସେନାର ଏହି ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ କତାରରେ ଗିରଫ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଗିରଫଦାରୀ ହୋଇଥିଲା। ସେବେଠାରୁ ସେମାନେ କତାର ଜେଲରେ ଅଛନ୍ତି। ଇସ୍ରାଏଲ ପାଇଁ ଏମାନେ କତାରରେ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗ ରହିଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୮ ଜଣ ଭାରତୀୟ କର୍ମଚାରୀଙ୍କ ସହ ଜଡିତ ଏହି ମାମଲାରେ କାତାର କୋର୍ଟ ଗୁରୁବାର ଏହାର ରାୟ ଦେଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଆମେ ଉକ୍ତ ପରିବାରର ସଦସ୍ୟ ଏବଂ ଆଇନ ଟିମ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ।
Powered by Froala Editor