ନିର୍ବାଚନ ଆୟୋଗର ନିଷ୍ପତ୍ତି : ରାଜକୁମାର ରାଓ ଜାତୀୟ ଆଇକନ୍ ନିଯୁକ୍ତ
ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରି ଅଧିକାରୀକ ଭାବେ ଏହାର ଘୋଷଣା କରିବେ ବୋଲି ଜଣାପଡ଼ିଛି। ଯେଉଁମାନଙ୍କୁ ଜାତୀୟ ଆଇକନ୍ କରାଯାଏ, ସେମାନେ ଲୋକମାନଙ୍କୁ ଭୋଟ୍ ଦେବା ବିଷୟରେ ସଚେତନ କରାନ୍ତି। ସେମାନଙ୍କର ପ୍ରୟାସ ଥାଏ ଭୋଟ୍ ପ୍ରତିଶତ ବୃଦ୍ଧି କରିବା।
ରାଜକୁମାର ରାଓ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କର ଅନେକ ଚଳଚ୍ଚିତ୍ର ହିଟ ହୋଇଛି, କିନ୍ତୁ ‘ନ୍ୟୁଟନ’ ଏକ ଚଳଚ୍ଚିତ୍ର ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ କିରାଣୀ ଭୂମିକାରେ ନଜର ଆସିଥିଲେ। ନୂତନ କୁମାର ଜଣେ କିରାଣୀ ଥିଲେ ଯିଏ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ତାଙ୍କ ଚରିତ୍ରକୁ ଆଧାର କରି ନିର୍ବାଚନ ଆୟୋଗ ଭୋଟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି।
ତେବେ ଚଳିତ ବର୍ଷ ଅଗଷ୍ଟରେ ନିର୍ବାଚନ ଆୟୋଗ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହାର ଜାତୀୟ ଆଇକନ୍ କରିଥିଲେ।
Powered by Froala Editor