ଗାଜାକୁ ୬.୫ ଟନ୍ ମାନବୀୟ ସହାୟତା ପଠାଇଲା ଭାରତ
ଇସ୍ରାଏଲ ସେନା ଏବଂ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଛି ଭାରତ। ଗାଜାକୁ ମାନବୀୟ ସହାୟତା ପଠାଯାଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ହାମାସ ଉପରେ ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ହେତୁ ଗାଜାର ଲୋକମାନେ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ସହାୟତା କରିବା ପାଇଁ ଭାରତ ଆଗେଇ ଆସିଛି।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ କହିଛନ୍ତି ଯେ, ଭାରତୀୟ ବାୟୁସେନାର ଗୋଟାଏ ‘ସି-୧୭’ ବିମାନ ରିଲିଫ୍ ସାମଗ୍ରୀ ନେଇ ଇଜିପ୍ଟର୍ ଏଲ୍-ଆରିଶ୍ ବିମାନ ବନ୍ଦରକୁ ଯାଇଛି। ‘ଏକ୍ସ୍’ କରି ସେ ଲେଖିଛନ୍ତି, ପାଲେଷ୍ଟାଇନ୍ବାସୀଙ୍କ ପାଇଁ ଭାରତ ମାନବୀୟ ସହାୟତା ପଠାଇଲା। ପାଲେଷ୍ଟାଇନ୍ବାସୀଙ୍କ ପାଇଁ ଭାରତୀୟ ବାୟୁସେନାର ‘ସି-୧୭’ ବିମାନ ୬.୫ ଟନ୍ର ଡାକ୍ତରୀ ସହାୟତା ଏବଂ ୩୨ ଟନ୍ର ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ ନେଇ ଇଜିପ୍ଟର ଏଲ୍-ଆରିଶ୍ ବିମାନ ବନ୍ଦରକୁ ଯାଇଛି। ରିଲିଫ୍ ସାମଗ୍ରୀରେ ଅଛି- ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ସାମଗ୍ରୀ, ତମ୍ବୁ, ‘ସ୍ଲିପିଙ୍ଗ୍ ବ୍ୟାଗ୍’, ପାଲ, ପରିମଳ ସାମଗ୍ରୀ, ଜଳ ବିଶୋଧନକାରୀ ବଟିକା ଆଦି ଅତ୍ୟାବଶ୍ୟକ ସାମଗ୍ରୀ।
ଗତ ୭ ତାରିଖରେ ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ଆକ୍ରମଣ ହେବା ପରେ ଗତକାଲିଠୁ ଦକ୍ଷିଣ ଗାଜାରେ ପ୍ରଥମ ଦଫା ରିଲିଫ ସାମଗ୍ରୀ ପହଞ୍ଚିଛି। ଗତକାଲି ଇଜିପ୍ଟରୁ ବାହାରିଥିବା ୨୦ଟି ଟ୍ରକ୍ ଅତ୍ୟାବଶ୍ୟକ ସାମଗ୍ରୀ ଧରି ରାଫହା ପାସ୍ ଦେଇ ଦକ୍ଷିଣ ଗାଜାରେ ପହଞ୍ଚିଥିଲା ବେଳେ ଇସ୍ରାଏଲ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଗାଜାର ବିଭିନ୍ନ ଅଞ୍ଚଳରେ ଏହାକୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି।
Powered by Froala Editor