ହଷ୍ଟେଲରେ ବ୍ୟାପିଲା ଜ୍ୱର, ଝାଡ଼ା : ୨୮ ପିଲା ଡାକ୍ତରଖାନାରେ ଭର୍ତ୍ତି
କେନ୍ଦୁଝର ଅନ୍ବେଷା ହଷ୍ଟେଲରେ ରହୁଥିବା ୨୮ ଛାତ୍ରୀ ଜ୍ୱରରେ ଆକ୍ରାନ୍ତ ହୋଇ ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଯେ, ଉକ୍ତ ହଷ୍ଟେଲରେ ସମୁଦାୟ ୪୬୦ ଛାତ୍ରୀଛାତ୍ର ମାଗଣାରେ ରହୁଛନ୍ତି। ସେମାନଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ମାଗଣାରେ ବସ୍ ବ୍ୟବସ୍ଥା କରାଯାଇଛି। ସବୁଦିନ ଭଳି ବ୍ରେଡ୍ ଓ ଜାମ୍ ଖାଇ ୧୯୦ ଜଣ ପିଲା ପଳାଶପଙ୍ଗାସ୍ଥିତ ଗ୍ରୀନ୍ ଫିଲ୍ଡ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ପ୍ରାର୍ଥନା ସମୟରେ ହଠାତ ୧୮ ଜଣ ପିଲା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କେନ୍ଦୁଝର ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ରାତିରେ ଆଉ ୧୦ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ପରୀକ୍ଷା ବେଳେ ସେମାନେ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବ ଜଣାପଡ଼ିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଶନିବାର ସ୍ବାସ୍ଥ୍ୟ ଓ ପରିବେଶ ଅବସ୍ଥା ନିରୀକ୍ଷଣ କରିବାକୁ ସିଡିଏମ୍ଓ କେନ୍ଦୁଝରଙ୍କ ନେତୃତ୍ୱରେ ଏକ ସ୍ବାସ୍ଥ୍ୟ ଦଳ ଉକ୍ତ ହଷ୍ଟେଲକୁ ଯାଇଥିଲେ।
ଅନ୍ୟପଟେ ପିଲାମାନେ ଜ୍ୱର ସହିତ ଝାଡାବାନ୍ତିରେ ଆକ୍ରାନ୍ତ ଥିବା ଅଭିଭାବକମାନେ କହିଛନ୍ତି । ନିମ୍ନମାନର ଖାଦ୍ୟ ଯୋଗୁଁ ପିଲାଙ୍କ ଅବସ୍ଥା ଗୁରୁତର ହୋଇପଡିଲା ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହାର ତଦନ୍ତ କରାଯାଉଛି ।
Powered by Froala Editor