ଇସ୍ରାଏଲ-ହମାସ ଯୁଦ୍ଧ: ତେଲ ଓ ସୁନା ଯୁଦ୍ଧକୁ କରିବ ପ୍ରଭାବିତ
ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ସାରା ବିଶ୍ବର ଚିନ୍ତା ବଢ଼ିଯାଇଛି। ତେଲ ଓ ସୁନା ବଜାରକୁ ଯୁଦ୍ଧ କିଭଳି ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୮୫ ଡଲାର ପାଖାପାଖି ଥିବା ବେଳେ ସ୍ଥାନୀୟ ବଜାରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୮ ହଜାର ଟଙ୍କାରୁ କମ୍ ରହିଛି। ରୁଷ୍-ୟୁକ୍ରେନ ଯୁଦ୍ଧ ତେଲ ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। କାରଣ ରୁଷ୍ ଥିଲା ଏକ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ। କେବଳ ତେଲ ନୁହେଁ ଖାଦ୍ୟସାମଗ୍ରୀ ଦରକୁ ମଧ୍ୟ ସେହି ଯୁଦ୍ଧ ପ୍ରଭାବିତ କରିଥିଲା। ଯେହେତୁ ଦୀର୍ଘଦିନ ହେଲାଣି ଏହି ଦୁଇ ଦେଶ ଯୁଦ୍ଧ କରୁଛନ୍ତି ତେଣୁ ତାହାର ପ୍ରଭାବ ସହିତ ବିଶ୍ବର ବିଭିନ୍ନ ଦେଶ ଅଭ୍ୟସ୍ତ ହୋଇଗଲେଣି।
ଶୀତ ଋତୁ ପାଖେଇ ଆସୁଥିବାରୁ ୟୁରୋପରେ ଡିଜେଲ ଚାହିଦା ବଢ଼ିବ। ରୁଷ୍ ଓ ସାଉଦି ଆରବ ତେଲ ଉତ୍ପାଦନ କମ୍ କରିଛନ୍ତି। ଯଦି ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ ବଜାର ପ୍ରଭାବିତ ହେବ ତେବେ ଆଗାମୀ ଦିନରେ ତେଲ ଦାମ୍ ବଢ଼ିବାର ଆଶଙ୍କା ରହିଛି। ଯଦି ସେଭଳି କିଛି ଘଟିବ ତେବେ ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନି କରୁଥିବା ଭାରତ କ୍ଷତିଗ୍ରସ୍ତ ହେବ। ଇସ୍ରାଏଲ୍ ଉପରେ ହମାସର ଆକ୍ରମଣକୁ ତେଲ ଉତ୍ପାଦନକାରୀ ଦେଶ ଇରାନ ଖୋଲାଖୋଲି ଭାବେ ପ୍ରଶଂସା କରିଛି। ତେଣୁ ଇରାନର ତେଲ ଯୋଗାଣ କିଭଳି ରହିବ ତାହା ଉପରେ ନଜର ରଖିବାକୁ ପଡ଼ିବ।
ସାଧାରଣତଃ ଯୁଦ୍ଧ ଭଳି ଘଟଣା ଘଟିଲେ ନିବେଶକମାନେ ନିଜ ପାଣ୍ଠିର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ସେହି ସମୟରେ ସେମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ବିକଳ୍ପ ଭାବେ ବିଚାର କରି ଅଧିକ ନିବେଶ କରିଥାନ୍ତି। ତାହାର ପ୍ରଭାବରେ ସୁନା ଦର ବୃଦ୍ଧିପାଏ। ଆମେରିକାର ମୁଦ୍ରା ଡଲାର ଚାହିଦା ମଧ୍ୟ ବଢ଼ିବ। ଯଦି ଡଲାର ମହଙ୍ଗା ହୋଇଯିବ ତେବେ ସାରା ବିଶ୍ବ ଉପରେ ତାହାର ପ୍ରଭାବ ପଡ଼ିବ। ଦରଦାମ୍ ସ୍ଥିତି ଚାରିଆଡ଼େ ବେଲଗାମ ହୋଇପଡ଼ିବ। କରୋନା ମହାମାରୀ ଓ ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ବ ଅର୍ଥନୀତିରେ ଯେଉଁ କିଛିଟା ସୁଧାର ଘଟିଛି ତାହା ମଧ୍ୟ ଦୂର ହୋଇଯିବ।
Powered by Froala Editor