ଚୋରି ଟଙ୍କା ବେଡ୍ରେ ବିଛାଇ ରିଲ୍ସ କରୁଥିଲେ ଚୋର, ଧରିପକାଇଲା ପୁଲିସ

ଚୋରି କରି ବନିଗଲେ ଲକ୍ଷପତି । ସେ ଖୁସିରେ ଗଦ୍ଗଦ ହୋଇଗଲେ ଚୋରମାନେ । ଶେଷରେ ଚୋରି ଟଙ୍କା ଧରି ରିଲ୍ସ କରିପକାଇଲେ । ହେଲେ ରିଲ୍ସ ଯୋଗୁଁ ଧରାପଡିଗଲେ ପୁଲିସ ହାତରେ । ଗୋଟିଏ ରିଲ୍ସ ଯୋଗୁଁ ଲକ୍ଷପତିରୁ ସିଧା ଜେଲ୍ର ହାୱା ଖାଇବାକୁ ପଡୁଛି । ଏ ଘଟଣା କାନପୁରର ।
ଏହି ଚୋରମାନେ ତରୁଣ ଶର୍ମା ନାମକ ଜଣେ ଜ୍ୟୋତିଷଙ୍କ ଘରୁ ଟଙ୍କା ଚୋରି କରିଥିଲେ। ସେ ଏହି ଘଟଣା ସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍ ସିସିଟିଭି ଯାଞ୍ଚ କରିଥିଲା। ସେଥିରେ ଚୋରମାନେ ଚୋରି କରୁଥିବା ବେଳର ଦୃଶ୍ୟ କଏଦ ହୋଇଥିଲା। କିନ୍ତୁ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲା।
ଅନ୍ୟପକ୍ଷରେ ଚୋରି ଟଙ୍କାକୁ ନେଇ ଏକ ରିଲ୍ କରିଥିଲେ ଚୋରମାନେ। ସେମାନେ ହୋଟେଲ ବେଡ୍ରେ ନୋଟ୍ ଗୁଡ଼ିକ ବିଛାଇ ରିଲ୍ କରିଥିଲେ ଓ ତାକୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଥିରେ ଜଣେ ଚୋର ହାତରେ ଏକ ୫୦୦ ଟଙ୍କିଆ ବିଡ଼ା ଧରି ଦେଖାଉଥିବା ଦେଖିବାକୁ ମିଳିଛି। ଏହି ରିଲ୍ ପୁଲିସ୍ ନଜରକୁ ଆସିବା ପରେ ଡିଜିଟାଲ୍ ଟ୍ରାକିଂ ଜରିଆରେ ଜଣେ ଚୋର ନିକଟରେ ପହଞ୍ଚିଥିଲେ। ତାକୁ ଗିରଫ କରିବା ସହିତ ପୁଲିସ ତା’ଠାରୁ ନଗଦ ୨ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି।
ଅନ୍ୟମାନଙ୍କୁ ପୁଲିସ ଧରିବାକୁ ଚଢ଼ଉ ଜାରି ରଖିଛି । ତେବେ ଏ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଚୋରମାନେ ପେସାଦାର ନୁହଁନ୍ତି ବୋଲି ପୁଲିସ କହିଛି ।
Powered by Froala Editor