ଟିକସ ଦେବାକୁ ଅରାଜି ହେବାରୁ ସଡ଼କରୁ ୭ କିଲୋମିଟର୍ ଖୋଳି ଦେଲେ ଦୁର୍ବୃତ୍ତ

ବରେଲି : କଣ୍ଟ୍ରାକ୍ଟର୍ ‘ଗୁଣ୍ଡା ଟିକସ’ ଦେବାକୁ ଅରାଜି ହେବାରୁ ସ୍ଥାନୀୟ ବିଧାୟକଙ୍କ ଲୋକ ବୋଲି ଦାବି କରୁଥିବା ଦଳେ ଦୁର୍ବୃତ୍ତ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ସଦ୍ୟ ତିଆରି ହୋଇଥିବା ସୁନ୍ଦର ସଡ଼କରୁ ୭ କିଲୋମିଟର୍ ଖୋଳି ନଷ୍ଟ କରି ଦେଇଛନ୍ତି। ପିଚୁ ରାସ୍ତା ତାଡ଼ିବା ପାଇଁ ଦୁର୍ବୃତ୍ତମାନେ ‘ଜେସିବି’ ବ୍ୟବହାର କରିବା ସହିତ ସଡ଼କ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ମାରଧର କରିଥିଲେ। କେବଳ ସେତିକି ନୁହେଁ ସୋମନେ ସଡ଼କ ନିର୍ମାଣ କାର୍ଯ୍ୟ ପାଇଁ ସେଠାରେ ଥିବା ମେସିନ୍ଗୁଡ଼ିକୁ ବି ପୋଡ଼ି ପକାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ଉମେଶ ସିଂହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରିଚୟ ଗୋପନ ରଖିବାକୁ ଅନୁରୋଧ କରି ଜଣେ ପୁଲିସ କର୍ମଚାରୀ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ସିଂହ ପ୍ରକୃତରେ ସବୁବେଳେ ବିଧାୟକଙ୍କ ପାଖରେ ଥାଆନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଅନୁମୋଦନ କରାଯାଇଥିବାରୁ ସ୍ଥାନୀୟ ରାଜନେତାମାନେ ବିପୁଳ ପରିମାଣର ‘କମିସନ୍’ ଦାବି କରୁଛନ୍ତି। ଜଗବୀର ସିଂହ ଓ ଆଉ ୧୫/୨୦ଜଣ ଅଜ୍ଞାତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, ଏଭଳି କାର୍ଯ୍ୟକୁ ଆମେ ବରଦାସ୍ତ କରିବୁ ନାହିଁ। ‘ଏଫ୍ଆଇଆର୍’ ଫାଇଲ୍ କରାଯାଇଛି। ୩ଜଣ ବ୍ୟକ୍ତି ଗିରଫ ହୋଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଜଗବୀର ଏବେ ବି ଫେରା ଅଛନ୍ତି।
Powered by Froala Editor