ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ଆଜି

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ଜନ୍ମ ଜୟନ୍ତୀ । ବାପୁଙ୍କୁ ସମାଧି ପୀଠ ରାଜଘଟରେ ପହଞ୍ଚି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଉପରାଷ୍ଟ୍ରପତି ଜଗଦୀପ୍ ଧନକଡ୍ ଓ ଅନ୍ୟମନ୍ତ୍ରୀ ନେତାମାନେ ମହାତ୍ମାଗାନ୍ଧି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଭାରତ ସମେତ ବିଦେଶରେ ମଧ୍ୟ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ସଂଗ୍ରାମୀ ପୁରୁଷ ତଥା ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ଜନ୍ମ ଜୟନ୍ତୀରେ ସାରା ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି ।
ଅହିଂସାକୁ ଆଦର୍ଶ କରି ଇଂରେଜ ସରକାରକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିବା ବାପୁଙ୍କ ସମୟାନୁବର୍ତିତା ଆଜିବି ସମସ୍ତଙ୍କୁ ପ୍ରେରଣା ଦେଉଛି । ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି । ସୁଭାଷ ଚନ୍ଦ୍ର ବୋଷ ତାଙ୍କୁ ‘ଜାତିର ପିତା’ ସମ୍ବୋଧନ ସହ ସମ୍ମାନିତ କରିଥିଲେ ।
୧୯୪୮ ଜାନୁଆରୀ ୩୦ରେ ସେ ଇହଧାମ ତ୍ୟାଗ କରିଥିଲେ । ହିନ୍ଦୁ କଠୋରପନ୍ଥୀ ନାଥୁରାମ ଗଡ୍ସେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ସର୍ବଦା ଅହିଂସାକୁ ଆଦର୍ଶ କରିଥିବା ଗାନ୍ଧୀଙ୍କ ବିଚାରଧାରାକୁ ଆଗକୁ ନେବା ପାଇଁ ୨୦୦୭ ଜୁନ୍ ୧୫ରେ ଜାତିସଂଘରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ଗାନ୍ଧିଜୀଙ୍କ ଜୟନ୍ତୀକୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବେ ପାଳନ କରାଯିବାକୁ ପ୍ରସ୍ତାବ ରହିଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୨ରେ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଉଛି ।
Powered by Froala Editor