ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସ୍ପେଣ୍ଡ ୨ ବିଜେପି ବିଧାୟକ
ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ସସ୍ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ। ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ।
ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ। ତା’ପରେ ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। ଏହି ସମୟରେ ଡାଲି ଭର୍ତ୍ତି ପଲିଥିନ ପ୍ୟାକେଟ୍ ଆଣି କିଛି ସମୟ ଦେଖାଇବା ପରେ ବାଚସ୍ପତିଙ୍କ ଆଡକୁ ଫିଙ୍ଗି ଥିଲେ। ଏହାକୁ ପ୍ରଥମେ ବିଜେଡି ସଦସ୍ୟ ଦେବୀ ମିଶ୍ର ନିନ୍ଦା କରିଥିଲେ। ପରେ ବାଚସ୍ପତି ୨ ବିଧାୟକଙ୍କୁ ଗୃହରୁ ସସ୍ପେଣ୍ଡ କରାଯାଇଛି।
ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବିରୋଧୀ ଦଳ ନେତାଙ୍କୁ ବିଜେଡି ବିଧାୟକ ମେଣ୍ଟାଲ ଡିଜଅର୍ଡର କହିଥିଲେ। ଏହାକୁ ବିବରଣୀରୁ ବାଦ ଦେବାକୁ କୁହାଯାଇଥିଲା। ହେଲେ ବାଚସ୍ପତି ଏହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପେକ୍ଷ ନୁହନ୍ତି। ସେ ଦଳୀୟ କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି। ବାଚସ୍ପତି ନିଜେ ସସ୍ପେଣ୍ଡ ହେବା କଥା, କିନ୍ତୁ ସେ ସସ୍ପେଣ୍ଡ କରୁଛନ୍ତି।
ସେପଟେ ମୋହନ ମାଝୀ କହିଛନ୍ତି, ବିନା ଦୋଷରେ ସସ୍ପେଣ୍ଡ କରାଯାଇଛି। ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନି। ଏ ନିଷ୍ପତ୍ତି ନିନ୍ଦନୀୟ। ଏହାର ଘୋର ପ୍ରତିବାଦ କରିବୁ।
ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଡାଲି ଏକ ସିମ୍ବଲ। ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି। ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ। ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ। ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା। କିନ୍ତୁ ସେ ସେମିତି କରୁନାହାନ୍ତି।
Powered by Froala Editor