ଶୁଦ୍ଧିକ୍ରିୟାରୁ ଫେରୁଥିଲେ, ନଦୀରେ ବୁଡ଼ି ଜୀବନ ଗଲା

ଝିଅ ଘରକୁ ଯାଇଥିଲେ । ହେଲେ ଫେରିବା ବେଳେ ଜାଣିନଥିଲେ ଆଉ ଝିଅକୁ ଦେଖିପାରିବେନି । ସମାକୋଇ ନଦୀରେ ବୁଡି ବୃଦ୍ଧା ମା’ର ଜୀବନ ଚାଲିଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିବନାରାୟଣପୁର ଗୋଡା ପଞ୍ଚାୟତ କମଳାଙ୍ଗ ଗ୍ରାମରେ ।
କମଳାଙ୍ଗ ମୁଣ୍ଡା ସାହିର ସାବିତ୍ରୀ ମୁଣ୍ଡା(୬୦) କିଛିଦିନ ତଳେ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମକୁ ନିଜ ଝିଅ ଘରକୁ ଏକ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ। ଶନିବାର ଅପରାହ୍ନରେ ଝିଅ ଘରୁ ନିଜ ଘର କମଳାଙ୍ଗକୁ ବାହାରିଥିଲେ। ତେବେ ଘରକୁ ପହଞ୍ଚିବାକୁ ରାମଚନ୍ଦ୍ରପୁରଠାରେ ସମାକୋଇ ନଦୀ ପାର ହୋଇ ଯିବା ବେଳେ ଗଭୀର ଜଳରେ ପଡିଯାଇ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ରବିବାର ସାବିତ୍ରୀଙ୍କ ମୃତଦେହ ନଦୀରେ ଭାସିବାରୁ ଲୋକମାନେ ଅଗ୍ନିଶମ ବିଭାଗ ଏବଂ ତେଲକୋଇ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରି ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି।
Powered by Froala Editor