ଆଜିଠୁ ଜି-୨୦ ମହାକୁମ୍ଭ: ଯୋଗଦେବେ ବିଶ୍ୱର ୧୯ ଦେଶର ରାଷ୍ଟ୍ରମୁଖ୍ୟ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଶନିବାର ଠାରୁ ଆରମ୍ଭ ହେଉଛି ଅଷ୍ଟାଦଶ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକର ମୁଖ୍ୟ ଫୋକସ୍ ଏକ-ବିଶ୍ୱ, ଏକ-ପରିବାର ଓ ଏକ-ଭବିଷ୍ୟ । ଏହି ମହାକୁମ୍ଭରେ ଯୋଗଦେବା ଲାଗି ବିଶ୍ୱର ୧୯ ଦେଶର ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ । ବିମାନ ବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ସେଠାରୁ ସେମାନଙ୍କୁ ନିଜ ନିଜ ହୋଟେଲକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯାଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ସନ୍ଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ତାଙ୍କୁ ସ୍ୱଗାତ ଜଣାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ । ଭାରତ ଆସିବାରେ ବାଇଡେନ ହେଉଛନ୍ତି ଅଷ୍ଟମ ରାଷ୍ଟ୍ରପତି । ବିମାନବନ୍ଦରରୁ ବାଇଡେନ ସିଧାସଳଖ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଯାଇଥିଲେ । ସେଠାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଦୁଇନେତା ସହମତ ହୋଇଥିଲେ । ଆଲୋଚନା ସକରାତ୍ମକ ହୋଇଥିବା ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି । କହିଛନ୍ତି ଦୁଇଦେଶ ମଧ୍ୟରେ ଆର୍ଥିକ ସହଯୋଗ ଆଗକୁ ବଢ଼ିବ । ଲୋକଙ୍କ ଭିତରେ ସମ୍ପର୍କ ବଢ଼ିବ । ବେସାମରିକ ଆଣବିକ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗ ବଢ଼ାଇବା, ଦୁଇଦେଶ ମିଳିତ ଭାବେ ଜିଇ ଜେଟ୍ ଇଞ୍ଜିନ ନିର୍ମାଣ କରିବା, ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଶ୍ୱବ୍ୟାଙ୍କ ସମେତ ବହୁପକ୍ଷୀୟ ଉନ୍ନୟନ ବ୍ୟାଙ୍କର କ୍ଷମତା ପରିସର ବଢ଼ାଇବା, ରଣନୀତିକ ସହଯୋଗ ବୃଦ୍ଧି, କ୍ୱାଡକୁ ଆହୁରି ସୁଦୃଢ଼ କରିବା ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନା କାଳରେ ବାଇଡେନ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ।
ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପୂର୍ବରୁ ମୋଦି ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜୁଗନ୍ନାଥ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।
Powered by Froala Editor