ଆଗ ଆମେ ବଂଚିବା, ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବା କଥା ଶୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ କ୍ଷୁବ୍ଧ

ବ୍ରହ୍ମପୁର : କୋଭିଡ ମହାମାରି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାହୁଁନଥିଲେ ପ୍ରବାସୀ ଓଡିଆ ଗଂଜାମ ଫେରନ୍ତୁ । ସେ ନିଜ ନିଜ ଜିଲ୍ଲା ଲୋକଙ୍କ ଶତ୍ରୁ ସାଜିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଅସଲ ଚରିତ୍ର କଣ ତାହା ଆଜି ଗୋପାଳପୁରବାସୀ ଜାଣିଯାଇଛନ୍ତି । ତିନି ଦିନିଆ ଗଂଜାମ ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଲାଜୀ ବୈଦ୍ୟନାଥ ପଡ଼ିଆରେ ଆଜି ଆୟୋଜିତ ଜନଶୁଣାଣୀ କାର୍ୟ୍ୟକ୍ରମରେ ଯୋଗଦେଇ ୫-ଟି ସଚିବ ଭି କେ ପାଣ୍ଡିଆନ ସମସ୍ତଙ୍କୁ ସେବା ମନୋବୃତି ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନ ନେଇ ଗଞ୍ଜାମ ଜିଲ୍ଲାର ଜଣେ ଜନପ୍ରତିନିଧି କିପରି ମହାମାରି ସମୟରେ ପ୍ରବାସୀ ଓଡିଆ ନିଜ ଘରକୁ ଫେରିନପାରିବେ ସେନେଇ ଚକ୍ରବ୍ୟୁହ ରଚନା କରିଥିଲେ ତାହା ଗୋପାଳପୁରବାସୀଙ୍କୁ ଜଣାଇଥିଲେ । ସେବା ନାଁରେ ଲୋକଙ୍କୁ ଠକୁଥିବା ସେହି ଜନପ୍ରତିନଧି ଆଜି ତାର ପରିଣାମ ମଧ୍ୟ ଭୋଗୁଛନ୍ତି । ୫-ଟି ସଚିବ ନିଜ ବକ୍ତବ୍ୟରେ କାହା ନାଁ ନେଇନଥିଲେ ମଧ୍ୟ ତାହା ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ପଷ୍ଟ ବାରି ହେଉଥିଲା ।
କୋଭିଡ ବେଳେ ରାଜ୍ୟ ବାହାରେ ବହୁ ଓଡିଆ ଲୋକ ଫସିରହିଥିଲେ । ସେମାନେ ନିଜ ନିଜ ଘରକୁ ଫେରିପାରୁ ନ ଥିଲେ । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ । ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଫେରାଇଆଣିବାର ଦାୟିତ୍ବ ନେଇଥିଲେ । ଏ ବାବଦ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ଜନପ୍ରତିନିଧି ଜଣକ ଏଭଳି ଏକ ଜଟିଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ କରି ରାଜ୍ୟ ବାହାର ଲୋକଙ୍କୁ ଗଂଜାମ ଫେରାଇ ନ ଆଣିବାକୁ କହିଥିଲେ । କାରଣ ସେମାନେ ଫେରିଲେ ଗଂଜାମର ସ୍ଥିତି ସଂଗୀନ ହୋଇଯିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଆଗ ଆମେ ବଂଚିବା, ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବେ ବୋଲି କହିଥିଲେ । ଏଭଳି ସ୍ବାର୍ଥପର ଜନପ୍ରତିନିଧିଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିବା ୫-ଟି ସଚିବ କହିଥିଲେ।
ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କିଛି ଉତ୍ତର ଦେଇନଥିଲେ ବି ଆମକୁ ସେବା ମନୋବୃତ୍ତିର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଉଥିବା ଲୋକ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବାର୍ଥ ପାଇଁ ସେବା କଲେ ଭଗବାନ ରୁଷ୍ଟ ହୋଇଥାନ୍ତି । ସମ୍ପୃକ୍ତ ଜନପ୍ରତିନିଧି କିନ୍ତୁ ନିଜ ସ୍ବାର୍ଥ ସାଧନ ପାଇଁ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରି ଲୋକଙ୍କ ଆତ୍ମବିଶ୍ବାସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।
ବିଧାୟକଙ୍କ ଏଭଳି ଅପପ୍ରଚାର ଦ୍ବାରା କୋଭିଡ ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ ଓ ମିଶନ ଶକ୍ତି ମା’ମାନେ ବିଚଳିତ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ । ମା’ମାନଙ୍କ ସହଯୋଗ ଓ ମା ତାରାତାରିଣୀଙ୍କ ଆଶୀର୍ବାଦରୁ କୋଭିଡ ମୁକାବିଲାରେ ଗଂଜାମ ଦେଶରେ ସୁନାମ ଅର୍ଜନ କରିଛି । ବିଧାୟକ ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସେବାରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିବାରୁ ଭଗବାନ ତାର ଫଳ ତାଙ୍କୁ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା । ଯିଏ ବି ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତି, ତାର ବିଚାର ଭଗବାନ କରିବେ ବୋଲି ୫-ଟି ସଚିବ କହିଥିଲେ ।
Powered by Froala Editor