ଖୁବ୍ଶୀଘ୍ର ରାତିରେ ନନ୍ଦନକାନନ ବୁଲିବାର ମଜା ଉଠାଇବେ ପର୍ୟ୍ୟଟକ

ଭୁବନେଶ୍ୱର: ନନ୍ଦନକାନନ କର୍ତ୍ତୃପକ୍ଷ ପର୍ୟ୍ୟଟକଙ୍କ ପାଇଁ ରାତିରେ ନନ୍ଦନକାନନ ଖୋଲିବାକୁ ନେଇ ଯୋଜନା କରିଛନ୍ତି। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଖୋଲା ରହୁଛି। କିନ୍ତୁ ଖୁବ୍ଶୀଘ୍ର ରାତିରେ ବି ନନ୍ଦନକାନନ ବୁଲିବାର ମଜା ଉଠାପାରିବେ ପର୍ୟ୍ୟଟକ। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ଚିଡ଼ିଆଖାନା ପ୍ରାଧିକରଣ (ସିଜେଡ୍ଏ)ଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ନିକଟରେ ଏଭଳି କିଛି ନୂଆ ବ୍ୟବସ୍ଥାକୁ ନେଇ ନନ୍ଦନକାନନ ମାଷ୍ଟରପ୍ଲାନ ଦାଖଲ କରିଛି। ଆସନ୍ତା (୨୦୨୦-୪୦)୨୦ବର୍ଷ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି। ସନ୍ଧ୍ୟା ୬ରୁ ୭ କିମ୍ବା ୭ରୁ ୮ଟା ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି। ମାଷ୍ଟରପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ୟ୍ୟାୟରେ ନନ୍ଦନକାନନର ପରିସୀମାକୁ ବୃଦ୍ଧିକରିବା ପାଇଁ ଚୂଡ଼ଙ୍ଗ ଓ କୃଷ୍ଣନଗର ଅଞ୍ଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସୀମାକୁ ୧,୦୪୩ ହେକ୍ଟର ପରିମିତ ଜାଗାକୁ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହେଲେ ଚୂଡ଼ଙ୍ଗ ଓ କୃଷ୍ଣନଗର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଜାଗା ଅକ୍ତିଆର କରିବା ପ୍ରକ୍ରିୟା ସାମୟିକଭାବେ ବନ୍ଦ ରହିଛି। ଏହି ଜାଗା ନନ୍ଦନକାନନରେ ମିଶିଯିବା ପରେ ନାଇଟ୍ ସଫାରି କରିବା ପାଇଁ ନନ୍ଦନକାନନ ପକ୍ଷରୁ ଯୋଜନା କରାଯାଇଛି। ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରି ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି। ତେବେ ମନୋନୀତ ଲୋକ କେବଳ ରାତ୍ରିଚର ଜୀବଙ୍କୁ ଦେଖିବା ପାଇଁ ଯାଇପାରିବେ। ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ। ଏ ନେଇ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି କହିଛନ୍ତି, ଶିକ୍ଷାଗତ ସଚେତନତା ପାଇଁ ରାତିରେ ନନ୍ଦନକାନନ ଖୋଲିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ସରକାର ଅନୁମୋଦନ ଦେଲେ ହୋଇପାରିବ। ଯଦି ପ୍ରସ୍ତାବ ଅନୁସାରେ ସବୁକିଛି ଠିକ୍ ହୋଇଯାଏ ତେବେ ପର୍ୟ୍ୟଟକମାନେ ଖୁବ୍ଶୀଘ୍ର ରାତିରେ ନନ୍ଦନକାନନ ବୁଲିପାରିବେ ବୋଲି ପିସିସିଏଫ୍ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ସିଜେଡ୍ଏଙ୍କ ପକ୍ଷରୁ ଏହି ଅନୁମୋଦନ ପାଇଲେ ପର୍ୟ୍ୟଟକମାନେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜା ଉଠାଇପାରିବେ ବୋଲି ଉପନିର୍ଦ୍ଦେଶକ ସନତ କୁମାର ଏନ୍ ମତବ୍ୟକ୍ତ କରିଛନ୍ତି।
Powered by Froala Editor