ସୌମ୍ୟ ସରକାରୀ ଦଳର ହେଲେ ବି ତାଙ୍କର ସତସାହସ ଅଛି, ସେ କହୁଛନ୍ତି :ନରସିଂହ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଥିବାବେଳେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, ସୌମ୍ୟଙ୍କ ସତସାହସ ଅଛି ବୋଲି ସେ କହୁଛନ୍ତି । ସମସ୍ତେ ଜାଣନ୍ତି ଓଡିଶାରେ ମାଫିଆ ରାଜ ଚାଲିଛି , କାହାକୁ ଅଛପା ନାହିଁ । ମିଛ ଜିରୋ ଟଲେରାନ୍ସ କୁହାଯାଉଛି , ସବୁ କ୍ଷତ୍ରରେ ଦୁର୍ନୀତି ଚାଲିଛି ଜ୍ଝ ଦୁର୍ନୀତି କୁ କେବଳ ବରଦାସ୍ତ କାରାଯାଉନି , ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଆଯାଉଛି। ସୌମ୍ୟ ସରକାରୀ ଦଳର ହେଲେ ବି ତାଙ୍କର ସତସାହସ ଅଛି, କହୁଛନ୍ତି।
ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତା ଓ ଏଥିପାଇଁ ୩୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିବା ସହ କଡ଼ା ସମାଲୋଚନା କରିଛନ୍ତି । ପୁଣିଥରେ ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗ ଉଠାଇ ନିଜ ସମ୍ପାଦକୀୟ ଆମ ଘର ହାଲ ଚାଲରେ ପ୍ରଚଳିତ ବ୍ୟବସ୍ଥାକୁ ନେଇ ବିରାଟ ପ୍ରଶ୍ନବାଚୀ ଉଠାଇଛନ୍ତି ସୌମ୍ୟ । ଲେଖିଛନ୍ତି ଅଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କାଳେ କହୁଛନ୍ତି ଯେ ସେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଆମର ସୁଖ ଦୁଃଖ ବୁଝିବା ପାଇଁ ପଠାଇଛନ୍ତି । ଶାସନ ମୁଖ୍ୟଙ୍କର ସାଧାରଣ ଜନତାଙ୍କର ସୁଖ ଦୁଃଖ ବୁଝିବାର ଏହି ଅଭିନବ ଉପାୟ ପାଇଁ କାହାକୁ ଧନ୍ୟବାଦ ଦେବା ବୋଲି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ ।
ସେହିପରି ସେ ଆହୁରି ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାରା ଓଡ଼ିଶାକୁ ହେଲିକପ୍ଟରରେ ବୁଲି ସାଧାରଣ ଜନତାଙ୍କ ସହିତ ସାକ୍ଷାତ କରୁଛନ୍ତି ଏବ˚ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି । ଏହି ପ୍ରାୟୋଜିତ କାର୍ୟ୍ୟକ୍ରମରେ କେତେ ପଇସା ଖର୍ଚ୍ଚ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ସଚିବଙ୍କର ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲାବେଳକୁ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଆନୁମାନିକ ଆକଳନରୁ ଜଣାପଡ଼ିଛି ।
ଆମ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କ ସ୍ତରରେ ସୁଯୋଗ ରହିଛି। ସେଥିପାଇଁ ଅଧିକ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କାହା ପାଇଁ ବୋଲି ବି ପ୍ରଶ୍ନ କରିଛନ୍ତି ସୌମ୍ୟ । ଆହୁରି ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ଗସ୍ତ ସମୂହର ପ୍ରସ୍ତୁତି ଓ ବ୍ୟବସ୍ଥା ପାଇଁ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀମାନେ ଦିନରାତିକୁ କେବଳ ଏକ୍ କରି ଦେଉନାହାନ୍ତି ବରଂ ବର୍ଷାରେ ଛତାଧରି ସାହେବଙ୍କ ଗସ୍ତକୁ ସଫଳ କରିବା ପାଇଁ ତମ୍ବୁ ପକାଇବାକୁ ଗାତ ଖୋଳୁଛନ୍ତି ।
ବିଜୁ ଜନତା ଦଳର ସର୍ବଶ୍ରେଷ୍ଠ ସମ୍ପତ୍ତି ହେଲେ ନବୀନ ପଟ୍ଟନାୟକ। ସେ ଯାଇପାରୁ ନାହାନ୍ତି ବୋଲି ତାଙ୍କର ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ଦ୍ବାରା ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ପ୍ରଚାରର ଉଦ୍ଦେଶ୍ୟ କ'ଣ ? ଅତୀତରେ ରାଜା ମହାରାଜାମାନେ ଲୋକଙ୍କର ସୁଖ ଦୁଃଖ ବୁଝିବା ପାଇଁ ଅନ୍ଧାରୀ ବିଜେ କରୁଥିଲେ । କିନ୍ତୁ ଏବେ ସମ୍ପୂର୍ଣ୍ଣ ଦିବାଲୋକରେ ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ ବୋଲି ବି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ ।
Powered by Froala Editor