ଡାକ୍ତରଙ୍କୁ ଦୁର୍ବ୍ୟବହାର କଲେ ଚିକିତ୍ସା ଲାଗି ମନା କରିପାରିବେ ଡାକ୍ତର
ନୂଆଦିଲ୍ଲୀ: ଡାକ୍ତରଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର, ମାର୍ପିଟ୍ ଓ ହିଂସା ଘଟଣାକୁ ରୋକିବା ନିମନ୍ତେ ଜାତୀୟ ମେଡିକାଲ କମିଶନ (ଏନ୍ଏମ୍ସି) ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି । ସେଥିରେ କୁହାଯାଇଛି କି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଦୁର୍ବ୍ୟବହାର କଲେ, ଗାଳି ଦେଲେ କିମ୍ବା ମାର୍ପିଟ୍ କଲେ ସମ୍ପୃକ୍ତ ଡାକ୍ତରମାନେ ଚିକିତ୍ସା ଲାଗି ମନା କରିପାରିବେ । ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ଅଭଦ୍ର ବ୍ୟବହାର ଉପରେ ଡାକ୍ତରମାନେ ଏନ୍ଏମ୍ସିରେ ଅଭିଯୋଗ କରିପାରିବେ । ଯାହାଫଳରେ କି ସମ୍ପୃକ୍ତ ରୋଗୀଙ୍କୁ ସେଠାରୁ ରେଫର କରିଦିଆଯିବ । ଏହି ନୂଆ ନିୟମ ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ମେଡିକାଲ ଏଥିକ୍ସ କୋଡ୍ ୨୦୦୨ର ସ୍ଥାନ ଦେବ । ପ୍ରଥମଥର ପାଇଁ ଡାକ୍ତରମାନଙ୍କୁ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ମନା କରିବାର ଅଧିକାର ମିଳିବ । ଏଥିସହ କେବଳ ଜରୁରିକାଳୀନ ଚିକିତ୍ସାକୁ ବାଦ୍ ଦେଲେ ଅନ୍ୟ ସମୟରେ କେଉଁ ରୋଗୀଙ୍କୁ ଦେଖିବେ କିମ୍ବା ନଦେଖିବେ ସେହି ଅଧିକାର ଡାକ୍ତରଙ୍କର ରହିବ ।
ଅନ୍ୟପକ୍ଷରେ ଡାକ୍ତରମାନେ ରୋଗୀଙ୍କ ପ୍ରତି ଉତ୍ତରଦାୟୀ ରହିବେ ଏବଂ କୌଣସି ପରିସ୍ଥିତିରେ ସେମାନଙ୍କ ପ୍ରତି ଅବହେଳା କରିପାରିବେ ନାହିଁ । ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ସମସ୍ତ ତଥ୍ୟ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ଦେବାକୁ ପଡିବ । ବିନା କୌଣସି କାରଣରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସାରୁ ନିଜକୁ ଦୂରେଇ ପାରିବେ ନାହିଁ । ଚିକିତ୍ସା ପୂର୍ବରୁ ରୋଗୀଙ୍କୁ ପରାମର୍ଶ ଶୁଳ୍କ କିମ୍ବା ସର୍ଜରୀର ଆବଶ୍ୟକତା ଥିଲେ ତାର ଖର୍ଚ୍ଚ ସମ୍ପର୍କରେ ଡାକ୍ତରମାନେ ଅବଗତ ମଧ୍ୟ କରାଇବେ ।
Powered by Froala Editor