ରାଘବ ଚଢ଼ାଙ୍କ ନାଁରେ ନକଲି ଦସ୍ତଖତ କରିଥିବା ଅଭିଯୋଗ

ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍ କରିଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି।ଚାରିଜଣ ରାଜ୍ୟସଭା ସାଂସଦ ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ 7 ରେ ଏକ ପ୍ରସ୍ତାବରେ ବିନା ଅନୁମତିରେ ଚଢା ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରିଛନ୍ତି। ବୁଧବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଅଭିଯୋଗକୁ ବିଶେଷ ଅଧିକାର କମିଟି ନିକଟକୁ ପଠାଇଛନ୍ତି। ସାଂସଦ ସସ୍ମିତ ପାତ୍ର, ଏସ୍ ଫାଙ୍ଗନନ୍ କନ୍ୟକ, ଏମ ଥାମ୍ବିଦୁରାଇ ଏବଂ ନରହରି ଅମିନ୍ ଅଭିଯୋଗ କରିଛନ୍ତି ଯେ, ଚଢା ସେମାନଙ୍କୁ ନ ପଚାରି ଏକ ପ୍ରସ୍ତାବରେ ସେମାନଙ୍କ ନାମ ଉଲ୍ଲେଖ କରିଛନ୍ତି। ରାଘବ ଚଢ଼ାଙ୍କୁ ନିଲମ୍ବିତ କରିବା ପାଇଁ ରାଜ୍ୟସଭାରେ ଗୃହ ନେତା ପୀୟୂଷ ଗୋଏଲ ପ୍ରସ୍ତାବ ଆଗତ କରିଥିଲେ।
ଅନ୍ୟପକ୍ଷରେ ଆପ୍ କହିଛି ଯେ ଜାଲିଆତି କିମ୍ବା ନକଲି ଦସ୍ତଖତ ଅଭିଯୋଗରେ ଏହି ନିଲମ୍ବନ କରାଯାଇନାହିଁ ଏବଂ ବୁଧବାର ଆପ୍ ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ଏହା କରାଯାଇଛି।
‘ଗତକାଲି ରାଘବ ଚଢ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମାମଲାରେ ନିଜ ପକ୍ଷ ରଖିଥିବାରୁ ଏହି ନିଲମ୍ବନ କରାଯାଇଛି। ସ୍ୱାଧିକାର (ପ୍ରିଭିଲେଜ୍) କମିଟି ପକ୍ଷରୁ ଦିଆଯାଇଥିବା ନିଲମ୍ବନ କିମ୍ବା ନୋଟିସ୍ ପାଇଁ ପୀୟୂଷ ଗୋଏଲଙ୍କ ପ୍ରସ୍ତାବରେ ଜାଲିଆତି, ନକଲି, ଦସ୍ତଖତ, ଫର୍ଜିଓ୍ଵାଡା ଇତ୍ୟାଦି ଶବ୍ଦ ଉଲ୍ଲେଖ ନାହିଁ। ଏପରିକି ଏ ନେଇ କିଛି ଅଭିଯୋଗ ମଧ୍ୟ ନାହିଁ’ ବୋଲି ଆପ୍ କହିଛି।
Powered by Froala Editor