ମିଳିବ ଆଶ୍ବସ୍ତି: ଶସ୍ତା ହେବ ଟମାଟୋ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଜୁଲାଇ ତୁଳନାରେ ଅଗଷ୍ଟରେ ଟମାଟୋ ଉତ୍ପାଦନରେ ଦୁଇ ଗୁଣା ପାଖାପାଖି ବୃଦ୍ଧି ଘଟିବ। ଟମାଟୋ ଦାମ୍କୁ ନେଇ ଚିନ୍ତିତ ଥିବା ଲୋକମାନଙ୍କୁ ଆଉ କିଛି ଦିନ ପରେ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବ। ଜୁଲାଇରେ ୨,୨୩,୦୦୦ ଟନ୍ ଟମାଟୋ ଉତ୍ପାଦନ ହୋଇଥିଲା। ଅଗଷ୍ଟରେ ତାହା ୫,୪୪,୦୦୦ ଟନ୍, ସେପ୍ଟେମ୍ବରରେ ୯,୫୬,୦୦୦ ଟନ୍ ଓ ଅକ୍ଟୋବରରେ ୧୩,୩୩,୦୦୦ ଟନ୍କୁ ବୃଦ୍ଧି ପାଇବ।
ବଜାରରେ ଅଧିକ ଟମାଟୋ ପହଞ୍ଚିବା ସହ ତାହାର ଦାମ୍ରେ ସେହି ଅନୁସାରେ ହ୍ରାସ ଘଟିବ। ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଭଳି ପ୍ରମୁଖ ଟମାଟୋ ଚାଷ ହେଉଥିବା ରାଜ୍ୟଗୁଡ଼ିକରେ ଉତ୍ପାଦନ ବଢ଼ିବାର ସମ୍ଭାବନା ରହିଛି। ଗତ ଜୁଲାଇରେ ହଠାତ୍ ପ୍ରବଳ ବର୍ଷା ହେବାରୁ ଟମାଟୋ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା। ବଜାରରେ ତାହାର ହଠାତ୍ ଅଭାବ ଦେଖାଦେବା ପରେ ଟମାଟୋର କେଜି ପିଛା ଦାମ୍ କିଛି ଦିନ ଭିତରେ ୧୦୦ ଟଙ୍କା ଓ ପରେ ୨୦୦ ଓ ୨୫୦ ଟଙ୍କାରୁ ଅଧିକ ହୋଇଯାଇଥିଲା।
Powered by Froala Editor