ବିରୋଧ ସତ୍ତ୍ୱେ ରାଜ୍ୟସଭାରେ ଆଗତ ହେଲା ଦିଲ୍ଲୀ ସର୍ଭିସ ବିଲ୍

ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ରାଜ୍ୟରେ ସଭାରେ ଆଗତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍। ବିଲକୁ କଂଗ୍ରେସ, ଆପ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଥିଲେ । ବିଲ୍ ସପକ୍ଷରେ ୧୩୧ ଓ ବିପକ୍ଷରେ ୧୦୧ ଭୋଟ ପଡ଼ିଥିଲା । ଏହା ଗତ ଗୁରୁବାର ଲୋକସଭାରେ ଗୃହୀତ ହୋଇଥିଲା ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଗୃହରେ ଆଗତ କରିଛନ୍ତି। ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍ ୨୦୨୩ ଆଣିଛନ୍ତି।
ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ କଂଗ୍ରେସ ଓ ଆପ୍ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ଏହି ବିଲ୍ ଅସାମ୍ବିଧାନିକ। ଏହା ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍ ଅଣାଯାଇଛି।
କଂଗ୍ରେସକୁ ଟାର୍ଗେଟ୍ କରି ଅମିତ ଶାହା କହିଛନ୍ତି ଯେ ଗଣତନ୍ତ୍ର ଉପରେ ଭାଷଣ ଦେବାର ଅଧିକାର କଂଗ୍ରେସର ନାହିଁ । କଂଗ୍ରେସ ହିଁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ବିରୋଧ କରିଆସିଥିଲା ଓ ଦିଲ୍ଲୀର ଅଧିକାରକୁ ସଂକୁଚିତ କରିଥିଲା । କିନ୍ତୁ ଏବେ ଆପକୁ ଖୁସି କରିବାକୁ କଂଗ୍ରେସ ଏହି ବିଲକୁ ବିରୋଧ କରୁଛି ।
Powered by Froala Editor