ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ମାଡ଼, ଭାଙ୍ଗିଗଲା ଗୋଟାଏ କୋଚ୍ର ଝରକା କାଚ

ବାରବାଙ୍କୀ: ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାବଙ୍କୀରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ମାଡ଼ ହେବାରୁ ଗୋଟାଏ ‘କୋଚ୍’ର ଝରକା କାଚ ଭାଙ୍ଗିଯାଇଥିବା କଥା ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ କହିଛି। ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଉକ୍ତ ଟ୍ରେନ୍ ବାରାବଙ୍କୀର ସଫେଦାବାଦ ଷ୍ଟେସନ୍ ନିକଟରେ ହୋଇଥିବା ବେଳେ ଟେକା ମାଡ଼ ହୋଇଥିଲା। ଘଟଣା ସଂକ୍ରାନ୍ତରେ ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ (ଆର୍ପିଏଫ୍) ‘ଏସ୍କର୍ଟ ଟିମ୍’ ‘କଣ୍ଟ୍ରୋଲ୍ ରୁମ୍’କୁ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ‘ଆର୍ପିଏଫ୍’ ଇନ୍ସ୍ପେକ୍ଟର୍ ସେଠାରେ କୌଣସି ଦୁର୍ବୃତ୍ତ କିଂବା ପ୍ରତ୍ୟକ୍ଷଦର୍ଶୀଙ୍କୁ ଦେଖି ନ ଥିଲେ।
ସର୍ବସାଧାରଣ ତଥା ସରକାରୀ ସମ୍ପତ୍ତି ନଷ୍ଟ କରିବା ସହିତ ଯାତ୍ରୀମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାରୁ ଆଇନ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିମାନଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। ବାରାବଙ୍କୀ ରେଳବାଇ ପୁଲିସ ମଧ୍ୟ ଟେକା ଫିଙ୍ଗିଥିବା ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଦେଶର ୫୦୮ଟି ରେଳ ଷ୍ଟେସନ୍ର ସୌନ୍ଦର୍ୟ୍ୟକରଣ ଯୋଜନାର ଶିଳାନ୍ୟାସ କରୁଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା।
Powered by Froala Editor