ଚନ୍ଦ୍ରଯାନ-୩ ପଠାଇଲା ଚନ୍ଦ୍ରର ପ୍ରଥମ ଫଟୋ
ନୂଆଦିଲ୍ଲୀ: : ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଚନ୍ଦ୍ରର ଫଟୋ ଟୁଇଟ କରାଯାଇଛି । ଫଟୋରେ ଚନ୍ଦ୍ରର ପୃଷ୍ଠଭୂମି ସହ ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି । ଚନ୍ଦ୍ରପୃଷ୍ଠରେ ଥିବା ଗାତଗୁଡିକ ଫଟୋରେ ଦେଖାଯାଉଛି । ଏବେ ଚନ୍ଦ୍ରପୃଷ୍ଠରୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ଘୁରୁଛି । ଅଗଷ୍ଟ ୯ରେ ୪ରୁ ୫ ହଜାର କିଲୋମିଟର କକ୍ଷପଥରେ ପ୍ରବେଶ କରିବ । ଏବଂ ଆସନ୍ତା ୨୩ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ମାତ୍ରକେ ଚନ୍ଦ୍ରଯାନ-୩ ଇସ୍ରୋକୁ ତା’ର ପ୍ରଥମ ବାର୍ତ୍ତା ପଠାଇଛି । ଚନ୍ଦ୍ରଯାନ-୩ କହିଛି, ‘ମୋତେ ଚନ୍ଦ୍ରର ମାଧ୍ୟାକର୍ଷଣ ଅନୁଭୂତ ହେଉଛି ।’ ଚନ୍ଦ୍ରଯାନ-୩ର ପରବର୍ତ୍ତା ପର୍ୟ୍ୟାୟକୁ ନେଇ ଇସ୍ରୋ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଆଗାମୀ ୧୭ ଦିନ ଯାଏଁ ଚନ୍ଦ୍ରଯାନ-୩ ଧୀରେ ଧୀରେ ଚନ୍ଦ୍ରର ପରିକ୍ରମା କରିବ । ଅଗଷ୍ଟ ୧୭ ତାରିଖରେ ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବ ବିକ୍ରମ ଲ୍ୟାଣ୍ଡର୍ । ଏହା ପରେ ବିକ୍ରମ ଲ୍ୟାଣ୍ଡରର ଲୁନାର ଅର୍ବିଟରେ ବେଗ ହ୍ରାସ ପାଇବ । ସବୁକିଛି ଠିକଠାକ ରହିଲେ, ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ ୨୩ କିମ୍ବା ଏହା ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।
Powered by Froala Editor