ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି : ଦଣ୍ଡାଦେଶରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
‘ମୋଦୀ ସାଙ୍ଗିଆ’ ମନ୍ତବ୍ୟକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଦଣ୍ଡାଦେଶ ଗୋଟିଏ ଦିନ କମ୍ ହୋଇଥାନ୍ତା ତେବେ ସେ ଅଯୋଗ୍ୟ ଘୋଷିତ ହୋଇ ନଥାନ୍ତେ। ମାମଲାର ବିଚାର କରି ସୁପ୍ରିମ କୋର୍ଟ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆବେଦନକାରୀଙ୍କ ବକ୍ତବ୍ୟ ଭଲ ନଥିଲା ଏବଂ ଆବେଦନକାରୀ ଭାଷଣ ଦେବା ସମୟରେ ଅଧିକ ଯତ୍ନବାନ ହେବା ଉଚିତ୍ ଥିଲା। ଏଥିସହ ‘ଅଯୋଗ୍ୟ ଘୋଷଣାର ପ୍ରଭାବ କେବଳ ଜଣେ ବ୍ୟକ୍ତିବିଶେଷଙ୍କ ଅଧିକାର ଉପରେ ନୁହେଁ ବରଂ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଅଧିକାରକୁ ମଧ୍ୟ ପ୍ରଭାବିତ କରୁଛି ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ।
ସୁପ୍ରିମକୋର୍ଟ ଜଷ୍ଟିସ ବି. ଆର ଗୋୱାଇ, ଜଷ୍ଟିସ ପି.ଏସ୍ ନରସିଂହା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ୩ ଜଣିଅ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
ରାହୁଲଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ଏହି ମାମଲାରେ ରାହୁଲଙ୍କୁ ମିଳିଥିବା ଦଣ୍ଡ ଅତ୍ୟନ୍ତ କଠୋର। କାରଣ ମୋଦି ସମୁଦାୟର କୌଣସି ଆକାର ନ ଥିବା ବେଳେ ଏହା ଏକ ଅପରିଭାଷିତ ସମୁଦାୟ ଅଟେ। ଏଥିସହ ସେ କହିଛନ୍ତି, ଆବେଦନକାରୀଙ୍କ ନିକଟରେ ମାନହାନୀ ମାମଲା କରିବାର କୌଣସି ଅଧିକାର ନାହିଁ। ମୋଦି ସରନେମ ଲୋକ ବହୁ ସମୁଦାୟରେ ବିଭକ୍ତ ହୋଇ ରହିଛନ୍ତି।
Powered by Froala Editor