ନୁହ୍ରେ ବିସ୍ଫୋରକ ସ୍ଥିତି : ଜାଳିଦେଲେ ରେସ୍ତୋରାଁ, ଶହ ଶହ ଗାଡି
ହରିଆଣାର ନୁହ୍ ଜିଲ୍ଲାରେ ସାଂପ୍ରଦାୟିକ ସଂଘର୍ଷ ବିସ୍ଫୋରକ ରୂପ ନେଇଛି। ମଙ୍ଗଳବାର ଦିନ ଗୁରୁଗ୍ରାମର ବାଦଶାହପୁରରେ ଥିବା ଏକ ରେସ୍ତୋରାଁରେ ନିଆଁ ଲଗାଯିବା ସହ ଆଖପାଖ ଦୋକାନଗୁଡ଼ିକୁ ଭଙ୍ଗାରୁଜା କରାଯାଇଛି। ଶତାଧିକ ଗାଡ଼ି ପୋଡ଼ି ପାଉଁଶ ହୋଇ ଯାଇଛି।
ରିପୋର୍ଟ ଅନୁଯାୟୀ କେତେକ ଯୁବକ ଏହି ଅଞ୍ଚଳର ଏକ ମସଜିଦ ସମ୍ମୁଖରେ ଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୋକାନଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରିବା ସହ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ପ୍ରାୟ ୫୦ରୁ ୬୦ଜଣ ଯୁବକ ମିଳିତ ଭାବେ ଏହି ଅଞ୍ଚଳରେ ପାର୍କିଂ ହୋଇଥିବା ସମସ୍ତ ଦୁଇ ଚକିଆ ଯାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ହିଂସାକାଣ୍ଡ ଘଟଣା ପରେ ବାଦଶାହପୁର ବଜାରକୁ ବନ୍ଦ କରି ଦିଆ ଯାଇଥିଲା।
ଶାନ୍ତି ଶୃଙ୍ଗଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ସ୍କୁଲ ଓ କଲେଜକୁ ମଙ୍ଗଳବାର ବନ୍ଦ କରି ଦିଆଯାଇଥିଲା ଏବଂ ଗୁରୁଗ୍ରାମ ଏବଂ ନୁହରେ ସିଆରପିସିର ଧାରା ୧୪୪ ଅନୁଯାୟୀ ୫ଜଣରୁ ଅଧିକ ସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଛି।
ସୋମବାର ଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ଜଣେ ଇମାମ ଓ ଦୁଇ ଜଣ ହୋମଗାର୍ଡଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ଏହି ହିଂସା ନୁହରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା।
Powered by Froala Editor