ଭାସୁଛି ଦିଲ୍ଲୀ:ରାସ୍ତା ଉପରେ ନଈ ଭଳି ଛୁଟୁଛି ପାଣି ସୁଅ
ନୂଆଦିଲ୍ଲୀ: ଯମୁନା ନଦୀ ଯୋଗୁ ଦିଲ୍ଲୀ ଏବେ ଭାସୁଛି। ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି। ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ୟ୍ୟନ୍ତ ବନ୍ଦ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ବୈଠକ କରିବାପରେ ରାଜ୍ୟରେ ସମସ୍ତ ସ୍କୁଲ୍ ଏବଂ କଲେଜ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ଘରୋଇ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ୍ ଫର୍ମୁଲାରେ ଚାଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ୧୨ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଉତ୍ତର ଦିଲ୍ଲୀରେ ଏକ ସରକାରୀ ପରିଚାଳିତ ଟ୍ରମା ସେଣ୍ଟରରେ ପାଣି ପଶିଯିବାରୁ ୪୦ ରୋଗୀଙ୍କୁ ଏଠାରୁ ଏଲଏନଜେପି ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ନଦୀ ଜଳ ପଶିଯିବାରୁ ପୋସ୍ ସିଭିଲ ଲାଇନ୍ସ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି। ଏପରିକି ସୁପ୍ରିମ କୋର୍ଟ ନିକଟରେ ମଧ୍ୟ ପହଞ୍ଚିବାକୁ ଗଲାଣି ପାଣି। ବନ୍ୟାଜଳ ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଛି। ତଳିଆ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କୁ ଖାଲି କରାଯାଉଛି। ଉଦ୍ଧାର କାର୍ୟ୍ୟରେ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।
Powered by Froala Editor