୩ ବର୍ଷ ପରେ ପାଇଖାନା ଟାଙ୍କିରୁ ମିଳିଲା ମହିଳାଙ୍କ କଙ୍କାଳ

୩ ବର୍ଷ ହେଲା ମହିଳାଙ୍କ ପତ୍ତା ମିଳୁନଥିଲା । ଶେଷରେ ପାଇଖାନାରୁ ମିଳିଛି କଙ୍କାଳ । ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରିବା ପରେ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ୱାମୀ । ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ପାଇଖାନା ଟାଙ୍କିରେ ଖୋଜାଖୋଜି କରାଯାଇଥିଲା । ଏହି ସମୟରେ ମହିଳାଙ୍କ ଅଳଙ୍କାର ସହ କଙ୍କାଳ ମିଳିଥିଲା।
୨୦୨୦ ମାର୍ଚ୍ଚ ମାସରେ ଟୁମ୍ପା ମଣ୍ଡଳ ନାମକ ଜଣେ ମହିଳା ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ବାପା ଲକ୍ଷ୍ମଣ ହାଲଦାର ସ୍ଥାନୀୟ ପୁଲିସରେ ଝିଅର ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ଏପ୍ରିଲ ୨୦୨୦ରେ ପୁଲିସ୍ ମହିଳାଙ୍କ ସ୍ୱାମୀ ଭୂମବଳ ମଣ୍ଡଳଙ୍କୁ ଗିରଫ କରିଥିଲା। କିନ୍ତୁ ସ୍ଥାନୀୟ ପୁଲିସ୍ ତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ କୋର୍ଟରେ ଦାଖଲ କରି ପାରିନଥିଲା। ଫଳରେ କୋର୍ଟ ତାଙ୍କୁ ଜାମିନରେ ଖଲାସ କରିଥିଲା।
କିନ୍ତୁ ଟୁମ୍ପାଙ୍କ ବାପା ଲକ୍ଷ୍ମଣ ହାର ମାନି ନଥିଲେ। ସେ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ଗ୍ରହଣ କରି ପଶ୍ଚିମବଙ୍ଗ ସିଆଇଡିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜୁନ ୧୩ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଆଇଡି ତଦନ୍ତ ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ପୁଣି ଜେରା କରିଥିଲା। ତଦନ୍ତର ୧୦ ଦିନ ମଧ୍ୟରେ ଭୂମବଳ ମଣ୍ଡଳ ତାଙ୍କ ପତ୍ନୀଙ୍କୁ ମାରିଥିବା ସ୍ୱୀକାର କରିଥିଲେ। ଏଥିସହ ଗୋଟିଏ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚାଇ ରଖିଥିବା କଥା ମଧ୍ୟ ଅଧିକାରୀମାନଙ୍କୁ ଜଣାଇଥିଲେ।
Powered by Froala Editor