୧୦ ଟଙ୍କାରେ ଚା’, ପକୁଡ଼ି ଓ କାକରା ବିକ୍ରି କଲେ ଅମଲା
ମାଲକାନଗିରି: ଦରମା ଓ ଗ୍ରେଡପେ ବୃଦ୍ଧି ପାଇଁ ଚାଲିଥିବା ଅମଲାମାନଙ୍କ ଆନ୍ଦୋଳନ ଆଜି ୧୬ ଦିନରେ ପହଞ୍ଚିଛି। ସରକାର ଦାବି ପୂରଣ କରୁନଥିବା ବେଳେ ଅମଲାମାନେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିଛନ୍ତି। ହେଲେ ମାଲକାନଗିରିରେ ଏହି ଧାରଣାର ଆଜିର ଦୃଶ୍ୟ ଥିଲା ଟିକେ ଭିନ୍ନ। ଆଜି ଅମଲାମାନେ ଧାରଣାସ୍ଥଳରେ ବିକୁଥିଲେ ଚା’, ପକୁଡ଼ି ଓ କାକରା। ଆଜି ସକାଳୁ ଅମଲା ମଞ୍ଚ ପକ୍ଷରୁ ଚା’, ପକୁଡ଼ି ଓ କାକରା ତିଆରି କରି ବିକ୍ରି କରିଛନ୍ତି। ମାତ୍ର ୧୦ ଟଙ୍କାରେ ଏସବୁ ମିଳୁଥିଲା। ଧାରଣାରତ ସରକାରୀ କର୍ମଚାରୀମାନେ କହିଛନ୍ତି, ଏଭଳି ଅଭିନବ ପ୍ରତିବାଦ କରି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବୁ।
ଉଲ୍ଲେଖଯୋଗ୍ୟ,ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଜିଲ୍ଲାସ୍ତରୀୟ କନିଷ୍ଠ ଅମଲାମାନଙ୍କ ମୂଳ ଦରମା ୯୩୦୦ ଟଙ୍କା ସହିତ ୪୨୦୦ ଗ୍ରେଡ ପେ ଓ ଲେଭେଲ-୯ ଅନୁଯାୟୀ ଦରମା ପ୍ରଦାନ ପାଇଁ ଅମଲାମାନେ ଦାବି କରିଛନ୍ତି। ଦାବିପୂରଣ ନହେବା ପର୍ୟ୍ୟନ୍ତ ଏଭଳି ଆନ୍ଦୋଳନ ଚାଲିଥିବା ସହ ବିଭିନ୍ନ ସାମାଜିକ କାର୍ୟ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। ମାଲକାନଗିରି ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମସୁନ୍ଦର ନାୟକଙ୍କ ନେତୃତ୍ବରେ ଜିଲ୍ଲାର ଶତାଧିକ ଅମଲାମାନେ ଆଜି ଏଥିରେ ସାମିଲ ହୋଇଥିଲେ।
Powered by Froala Editor