ଏଥର ବି ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର: ସବୁ ଅପେକ୍ଷାର ଅନ୍ତଃ ଘଟିଛି । ଉକ୍ରଣ୍ଠାର ହେଲା ଅବସାନ । ପ୍ରକାଶ ପାଇଛି ଯୁକ୍ତ ୨ ପରୀକ୍ଷା ଫଳ । ସିଏଚଏସଇ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଘୋଷଣା କରିଛନ୍ତି ।
ତେବେ ଉଭୟ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇ ଝିଅମାନେ ବାଜି ମାରିନେଇଛନ୍ତି । ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ ହାର ୮୫.୬୭ ପ୍ରତିଶତ ରହିଛି । ଯେଉଁଠି ପୁଅଙ୍କ ସଫଳତା ହାର ୮୪.୨୮ ପ୍ରତିଶତ ରହିଛି ।
ସେହିପରି ବାଣିଜ୍ୟରେ ୮୩.୮୭ ପ୍ରତିଶତ ଝିଅ ପାସ କରିଥିବାବେଳେ ପୁଅଙ୍କ ପାସ ହାର ୭୯.୫୨ ପ୍ରତିଶତ ରହିଛି । ତେବେ ବିଜ୍ଞାନରେ ୯୬.୪୧ ପ୍ରତିଶତ ସହ ନୟାଗଡ଼ ଜିଲ୍ଲା ଆଗରେ ଥିବାବେଳେ ୬୧.୫୫ ପ୍ରତିଶତ ରେଜଲ୍ଟ ସହ ଗଜପତି ସର୍ବନିମ୍ନରେ ରହିଛି । ଅନ୍ୟପକ୍ଷରେ ବାଣିଜ୍ୟରେ ବି ୯୩.୯ ପ୍ରତିଶତ ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଥିବାବେଳେ ୫୫.୫୫ ପ୍ରତିଶତ ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ଜିଲ୍ଲା ରହିଛି ।
ତେବେ ବିଜ୍ଞାନରେ ପାସ ହାର ୮୪.୯୩% ଥିବାବେଳେ ବାଣିଜ୍ୟରେ ପାସହାର ୮୧.୧୨ ପ୍ରତିଶତ ରହିଛି । ବିଜ୍ଞାନରେ ମୋଟ ୭୮,୯୩୮ଜଣ ପାସ କରିଛନ୍ତି । ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯, ୫୭୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪, ୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି ବାଣିଜ୍ୟରେ ମୋଟ ୧୯, ୫୩୬ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭,୪୧୦୦ ଜଣ ପରୀକ୍ଷାର୍ଥୀ ଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଓ ତୃତୀୟ ଶ୍ରେଣୀରେ ୭୪୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Powered by Froala Editor