ବଙ୍ଗୋପସାଗରୀୟ ଶାଖା ଆଗକୁ ବଢ଼ିଛି ମୌସୁମୀ

ଭୁବନେଶ୍ୱର : ଢେର ଦିନ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗେଇଛି । ଆଣ୍ଡାମାନ ପାଖରେ ଅଟକି ଯାଇଥିବା ମୌସୁମୀର ବଙ୍ଗୋପସାଗରୀୟ ଶାଖା ଆଗକୁ ବଢ଼ିଛି । ମୌସୁମୀର କେରଳ ପ୍ରବେଶ ଅଧିକ ବିଳମ୍ବିତ ହେବ କି ନାହିଁ, ତାହା ନିର୍ଭର କରୁଛି ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଉପରେ । ସେହିପରି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଲଘୁଚାପ ଯଦି ସୃଷ୍ଟି ହୁଏ, ତା’ର ଗତିପଥ ହିଁ ନିର୍ଦ୍ଧାରଣ କରିବ, ଓଡ଼ିଶାରେ ବର୍ଷା କେବେ ଆରମ୍ଭ ହେବ । ଆନ୍ତର୍ଜାତିକ ପାଣିପାଗ ପୂର୍ବାନୁମାନ ସଂସ୍ଥାର ଆକଳନ ଅନୁସାରେ ଆରବସାଗରରେ ୬ ତାରିଖ ବେଳକୁଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଅଧିକ ଘନୀଭୂତ ହୋଇ ଅମାନ ଆଡ଼କୁ ଯାଇପାରେ । ଯଦି ଏଭଳି ହେବ, କେରଳକୁ ମୌସୁମୀ ଆଗମନ ବିଳମ୍ବିତ ହୋଇପାରେ ।
ମାତ୍ର ଏହା ଯଦି ପଶ୍ଚିମ ଭାରତ ଆଡ଼କୁ ମୁହାଁଇବ, ତାହା ମୌସୁମୀକୁ ଟାଣି ଆଣିବ । ଆଉ ଏକ ଆକଳନ ହେଲା, ସେହି ସମୟରେ ମିଆଁମାର ପାଖାପାଖି ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ । ଏହାର ଗତି ପଶ୍ଚିମବଙ୍ଗ, ବାଂଲାଦେଶ, ଓଡ଼ିଶା ଆଡ଼କୁ ରହିପାରେ । ଏମିତି ହେଲେ ୯ ତାରିଖ ବେଳକୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ଏମିତିକି ଓଡ଼ିଶା ସମେତ ପୂର୍ବ ଭାରତ ଆଡ଼କୁ ମୌସୁମୀ ଆଗୁଆ ମଧ୍ୟ ଆସିପାରେ । ମାତ୍ର ସବୁ କିଛି ନିର୍ଭର କରୁଛି ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ଉପରେ ।ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ବୁଧବାର ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ।
Powered by Froala Editor